ପାଟଣାଗଡ଼,ଏନ୍ଏନ୍ଏସ୍: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସମ୍ବଲପୁରରେ ହୋଇଥିବା ଦଙ୍ଗାକୁ ନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦର ଆହ୍ୱାନକ୍ରମେ ବଜରଙ୍ଗ ଦଳ ଓ ଅନ୍ୟ ହିନ୍ଦୁ ସଂଗଠନମାନେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି । ଏଥିରେ ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜରୁରୀ ସେବାକୁ ବାଦ ଦେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ଦୋକାନ ବଜାର ଓ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସଂଗଠନର କର୍ମକର୍ତ୍ତାମାନେ ସକାଳେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକତ୍ରିତ ହୋଇ ‘ଜୟ ଶ୍ରୀରାମ’ ନାରା ଦେଇ ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ ହୋଇପଡ଼ିଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ବଜରଙ୍ଗ ଦଳର ସମେନ୍ଦ୍ର ଦାସ, ଅଜିତ ଭାଟି, ରାକେଶ ନିଆଲ, ଲଖଣ ବୁଡ଼େକ, ଧିରେନ ସେଠ, ଗୌତମ ପରାଭୁଏ, ବିଶାଳ ରାଓ, ବିକାଶ ପୌଡ଼ ପ୍ରମୁଖଙ୍କ ସମେତ ବିଜେପି ଓ ବଜରଙ୍ଗ ଦଳର ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ । ଏହି ବନ୍ଦକୁ ପାଟଣାଗଡ଼ବାସୀ ପାଳନ କରିଥିବାରୁ ସଂଗଠନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।