ଗୋଇଲୋ ଘାଟିରେ ଓଲଟିଲା ବୋଲେରୋ, ୩ ଆହତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତ ଗୋଇଲୋ-କୈଳାସ ରାସ୍ତାର ଗୋଇଲୋ ଘାଟିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଓଲଟି ପଡ଼ିଥିବାବେଳେ ଗାଡ଼ିରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ସୁନ୍ଦରଗଡ଼ ଅଞ୍ଚଳରୁ ଏକ ପରିବାର ଆଜି ଗୋଇଲୋ ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସି ସନ୍ଧ୍ୟା ପ୍ରାୟ ୫ଟାରେ ଫେରିବାବେଳେ ଘାଟି ଉପରେ ଚାଳକ ଭାରସାମ୍ୟ ହରାଇବାରୁ ବୋଲେରୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ତେବେ ଗାଡ଼ିରେ ଥିବା ସମସ୍ତ ୭ ଯାତ୍ରୀ ସୁରକ୍ଷିତ ଥିବାବେଳେ ସରୋଜିନୀ ଏକ୍କା, ମାର୍ଗରେଟ ବାର୍ଲା ଓ ଦୀପକ ଏକ୍କା ଆହତ ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଡାକ୍ତରଖାନାକୁ ପଠାଯାଇଛି ।

ସୂଚନାଯୋଗ୍ୟ, ୨୦୧୬ ମସିହା ଏପ୍ରିଲ ୧୭ରେ ଯାତ୍ରା କଳାକାରଙ୍କୁ ନେଇ ଯାଉଥିବା ଏକ ବସ ଉକ୍ତ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ୨୭ କଳାକାରଙ୍କ ମୃତ୍ୟୁ ଘଟିଥିଲା ।