ଖପ୍ରାଖୋଲ,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଗ୍ନିଶମ ବିଭାଗ ପକ୍ଷରୁ ଜାତୀୟ ୭୯ତମ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସର୍ବଭାରତୀୟ ସ୍ତରରେ ଏପ୍ରିଲ ୧୪ ତାରିଖରୁ ସପ୍ତାହକ ବ୍ୟାପି ଦେଶରେ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଥାଏ । ଓଡ଼ିଶାରେ ବି ଏହାକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଇଥାଏ । ବାହାରେ ଅତ୍ୟଧିକ ତାପମାତ୍ରା ଥିବାରୁ କୌଣସି କାର୍ଯ୍ୟକ୍ରମ ନରଖି ଏହାକୁ ନିରାଡ଼ମ୍ବର ଭାବରେ ଆରମ୍ଭ କରାଯାଇଛି । ସକାଳ ୮ଟାରେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଦମକଳ ଗାଡ଼ିରେ ଏକ ଶୋଭାଯାତ୍ରାରେ ବାହାରି ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କ ଅବଗତି ପାଇଁ ଏକ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଉକ୍ତ ଶୋଭାଯାତ୍ରା ଅଗ୍ନିଶମ କାର୍ଯାଳୟରୁ ବାହାରି ଖପ୍ରାଖୋଲ ଏବଂ ଆଖପାଖ ଅଞ୍ଚଳକୁ ପରିକ୍ରମା କରିଥିଲା । ନିଆଁକୁ ସର୍ବଦା ଆୟତ୍ତରେ ରଖି ବ୍ୟବହାର କରିବା, ସହଯୋଗ ଓ ଉଚିତ ପଦକ୍ଷେପ ଦ୍ୱାରା କୌଣସି ପ୍ରକାରର ଅଘଟଣ ଏଡ଼ାଇବାରେ ସଫଳ ହୋଇପାରିବେ ବୋଲି ଖପ୍ରାଖୋଲ ଅଗ୍ନିଶମ ବିଭାଗ ମୁଖ୍ୟ ଓଆଇସି ଚୂଡ଼ାମଣି ପିଙ୍ଗ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଏଲଏଫଏମ ଜୟ ଗୋପାଲ ପଣ୍ଡା, ଏଫଏମଡି ବୈଷ୍ଣବ ନିଆଲ, ଆର୍ତ୍ତ ଷଣ୍ଢ, ଦୁର୍ଜନ ପ୍ରସାଦ ହରିଜନ, ମୋହିତ ମୋହନ ଶବର, ରୁଦ୍ର ଚୌହାନ ଓ ବିକାଶ ବାଘ ପ୍ରମୁଖ ଉପସ୍ଥିତ ଥିଲେ ।