ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଅଞ୍ଚଳର ଯୋଗୀମୁଣ୍ଡା ହାଇସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ ଏବଂ ଘଟଣାକୁ ପ୍ରକାଶ କଲେ ଜୀବନରୁ ମାରିଦେବା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଉକ୍ତ ଛାତ୍ରୀଙ୍କ ଅଭିଭାବକ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଶିକ୍ଷକଙ୍କୁ ଥାନାକୁ ଆଣି ପୁଲିସ ଅଧିକ ପଚରାଉଚୁରା ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଜନୈକ ୧୫ ବର୍ଷୀୟା ନାବାଳିକାଙ୍କୁ ଗତ ୨୮ ତାରିଖରେ ଉକ୍ତ ବିଦ୍ୟାଳୟର ଭୂଗୋଳ ଶିକ୍ଷକ ସତ୍ୟ ନାରାୟଣ ନାୟକ(୪୨) ପୁସ୍ତକ କିଣି ଦେବା ଆଳ ଦେଖାଇ ନିଜ ସହ ବାଇକରେ ଯିବା ପାଇଁ ବାଧ୍ୟ କରିଥିଲେ । ଶିକ୍ଷକଙ୍କ କଥାକୁ ମନା କରିନପାରି ଛାତ୍ରୀ ଜଣକ ବାଧ୍ୟହୋଇ ତାଙ୍କ ବାଇକରେ ବସିଥିଲେ । ତେବେ ମୁଖ୍ୟ ରାସ୍ତାକୁ ଛାଡ଼ି ଶିକ୍ଷକ ସତ୍ୟ ନାରାୟଣ ନିଛାଟିଆ ଜଙ୍ଗଲୀ ରାସ୍ତା ଆଡ଼କୁ ବାଇକ ମୁହାଁଇଥିଲେ । କେବଳ ସେତିକି ନୁହେଁ ଏକ ଜଙ୍ଗଲ ମଧ୍ୟରେ ନିଛାଟିଆ ଜାଗା ଦେଖି ବାଇକ ରଖି ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଶିକ୍ଷକ ଜଣକ ଦୁଷ୍କର୍ମ ପାଇଁ ଉଦ୍ୟମ ଆରମ୍ଭ କରିବା ମାତ୍ରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବା ପରେ ଶିକ୍ଷକ ସତ୍ୟ ନାରାୟଣ ଉକ୍ତ ସ୍ଥାନ ଛାଡ଼ି ଫେରାର ମାରିଥିଲେ । ଲାଜ ତଥା ଜୀବନ ଭୟରେ ଛାତ୍ରୀ ଜଣକ ଏବିଷୟରେ କାହାକୁ କିଛି କହିଲାନି ସତ କିନ୍ତୁ ସେ ଆଉ ସ୍କୁଲ ଯିବାକୁ ରାଜି ହେଲା ନାହିଁ । ଅନ୍ୟପଟେ ଝିଅଟିର ମା-ବାପା ତାକୁ ବିଦ୍ୟାଳୟ ଯିବାକୁ ବାଧ୍ୟ କରିବାରୁ ସେ ସେମାନଙ୍କ ଆଗରେ ସବୁ ଘଟଣା ବର୍ଣ୍ଣନା କରିଥିଲା । ଝିଅଠୁ ସବୁ କଥା ଜାଣିବା ପରେ ବାପା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପାଟଣାଗଡ଼ ପୁଲିସ ଶିକ୍ଷକ ଜଣକ ରହୁଥିବା ଲାଇନପଡ଼ାସ୍ଥିତ ଭଡ଼ାଘରେ ଚଢ଼ଉ କରି ତାଙ୍କୁ ଥାନାକୁ ଆଣି ଜେରା କରୁଛି । ଏନେଇ ପାଟଣାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଆଜି ସଂପୃକ୍ତ ଶିକ୍ଷକଙ୍କୁ ଡାକ୍ତରୀ ମାଇନା କରି ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି ।