ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଆଜି ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆସନ୍ତା ଏପ୍ରିଲ ୨୦ରୁ ୨୨ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭରେ ଜିଲ୍ଲାରୁ ଯେଉଁମାନେ ଅଂଶଗ୍ରହଣ କରିପାରିବେ ସେସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାରୁ ୧୦ଜଣ ଜିଲ୍ଲାସ୍ତରୀୟ ଅଧିକାରୀ,୧୦ଜଣ ସରକାରୀ ଉଚ୍ଚ ବିଦ୍ୟାଳୟର ଏସଟିଇଏମ୍‌, ଶିକ୍ଷକ,୧୦ଜଣ ଯୁକ୍ତ ୨ ଛାତ୍ରଛାତ୍ରୀ, ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀ, ସରକାରୀ ଆଇଟିଆଇ ଏବଂ ପଲିଟେକନିକରୁ ୧୦ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବା ପାଇଁ ଭୁବନେଶ୍ୱର ଯିବେ । ଜିଲ୍ଲାରେ ଥିବା ସରକାରୀ ଆଇଟିଆଇ ଏବଂ ପଲିଟେକନିକରେ ଝିଅମାନେ କିପରି ଅଧିକ ସଂଖ୍ୟାରେ ପାଠ ପଢ଼ିବାର ସୁଯୋଗ ନେଇ ନିଜର ଦକ୍ଷତା ବିକାଶ କରିବା ସହିତ ରୋଜଗାରକ୍ଷମ ହୋଇପାରିବେ ତା’ ଉପରେ ଜିଲ୍ଲାପାଳ ଡା. ମିଶ୍ର ଗୁରୁତ୍ୱ ଦେଇଥିଲେ । ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନେ କିପରି ନିଜର ଦକ୍ଷତା ବିକାଶ ପାଇଁ ଆଗ୍ରହର ସହିତ ଆଗକୁ ଆସିବେ ସେଥିପାଇଁ ସଂପୃକ୍ତ ଅଧିକାରୀମାନେ ଅଧିକ ଯତ୍ନବାନ ହୋଇ କର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ୍ ୨୦, ୨୧ ଓ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ୨୦୨୩-୨୪ କାର୍ଯ୍ୟକ୍ରମକୁ ଡିଜିଟାଲ ସ୍କ୍ରିନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କିପରି ପ୍ରଦର୍ଶିତ କରାଯିବ ସେସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ସ୍ୱର୍ଣ୍ଣଲତା ବିଶ୍ୱାସ ଓ ଡେପୁଟି ସିଇଓ ଓର୍ମାସ ଉମା ମହେଶଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।