ନବରଙ୍ଗପୁରରେ ଗଡ଼ିଲା ଶିକ୍ଷା ସଚେତନତା ରଥ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ସଚେତନତା ରଥ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଜିଲ୍ଲାର ୧୦ଟି ବ୍ଲକ୍ ପାଇଁ ୧୦ଟି ରଥ ଚଳିତ ମାସ ୧୨ତାରିଖ ପର୍ଯ୍ୟନ୍ତ ପରିକ୍ରମା କରି ଶିକ୍ଷା ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରିବ ବୋଲି ଜିଲ୍ଲାପାଳ ଡା. ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ବିଦ୍ୟାଳୟମାନଙ୍କରେ ପ୍ରବେଶ ଉତ୍ସବ ଚାଲିଥିବାରୁ ଯେଉଁ ଘରେ ଛୋଟ ପିଲାମାନେ ଅଛନ୍ତି ସେମାନଙ୍କୁ ବିଦ୍ୟାଳୟରେ ଆଡମିସନ କରାଇବା ସହ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ପୁନର୍ବାର ବିଦ୍ୟାଳୟରେ ନାମ ଲେଖାଇବାକୁ ଜିଲ୍ଲାପାଳ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ମୋ ପିଲା ସ୍କୁଲ ଯିବ, ଆମେ ପଢ଼ିବା, ଆମେ ଗଢ଼ିବା ଓ ଶ୍ରେଷ୍ଠ ହେବା ମହତ ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଓ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ସବୁଜ ପତାକା ଦେଖାଇ ଏହି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଜିଲାପାଳ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଓ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।