ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପାର୍ଥଜିତ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଯୋଜନାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମେହେର, ଚେୟାରମ୍ୟାନ ଦୁର୍ଗା ପ୍ରସାଦ ମାଝୀ, ଝରିଗାଁ ଭାରତୀୟ ଷ୍ଟେଟବ୍ୟାଙ୍କର ମ୍ୟାନେଜର ଅନିଲ କୁମାର ମେହେର, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ହିମେଶ ଦାସ, ସମସ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ଲକର ସମସ୍ତ କିଓସ୍କୋ ବ୍ୟାଙ୍କ ପରିଚାଳକ, ବ୍ଲକର ସମସ୍ତ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ, ସମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରିଣୀ, ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ସବୁ ଉପସ୍ଥିତ ଥିଲେ । ମଧୁବାବୁ ପେନସନ ଯୋଜନାରେ ପେନସନ ପାଉଥିବା ସମସ୍ତ ହିତାଧିକାରୀଙ୍କ ସମସ୍ୟା ଏବଂ ତା’ର ସ୍ଥାୟୀ ସମାଧାନ ଆଜିର ଆଲୋଚନାର ବିଷୟ ଥିଲା । କିଓସ୍କୋ ବ୍ୟାଙ୍କ ପରିଚାଳକମାନେ ହିତାଧିକାରୀଙ୍କଠାରୁ କୌଣସି ଚାର୍ଜ ନ କାଟି ସୁବିଧା ସୁଯୋଗ ଯୋଗେଇ ଦେବା, ସରକାରଙ୍କ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ପେନସନକୁ ୧୦୦ ଶତକଡା ସଫଳ କରିବା ହେଉଛି ଏହାର ଉଦ୍ଦେଶ୍ୟ ।