ଝରିଗାଁ ବ୍ଲକ ସଦରରେ ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଝରିଗାଁ,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାରେ ଝରିଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମା’ଙ୍କ ଭକ୍ତ, ଶ୍ରଦ୍ଧାଳୁ ଏବଂ ଶରଣାର୍ଥୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି । ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ, ଦ୍ୱିତୀୟ ଦିନରେ ବିଗ୍ରହଙ୍କ ଓ ତୃତୀୟ ଦିନରେ ପୂର୍ଣ୍ଣାହୁତି ଏବଂ ସାର୍ବଜନିନ ବିସର୍ଜନ କାର୍ଯ୍ୟକ୍ରମ ରହିଛି । ପ୍ରତିଷ୍ଠା ଉତ୍ସବର ୩ଦିନ ପରେ ଅର୍ଥାତ ଚଳିତ ମାସ ୧୦ ତାରିଖରୁ ମା’ଙ୍କ କଳସ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ୯ଦିନ ଧରି ଚାଲିବ । ତେଣୁ କଳସ ଯାତ୍ରା ପାଇଁ ମଧ୍ୟ କମିଟିର ସଦସ୍ୟମାନେ ପୂର୍ବ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି । ପ୍ରଥମ ଦିନର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୁରୋହିତ ପଣ୍ଡିତ ପ୍ରତାପ ଚନ୍ଦ୍ର ରଥ ନିମନ୍ତ୍ରିତ ହୋଇ ଆସି ନୀତିକାନ୍ତି କରିଛନ୍ତି । ଝରିଗାଁ କଳସୀ ପୂଜା କମିଟିର ସଭାପତି ଶ୍ରୀ ପ୍ରସନ୍ନ ମାଝୀଙ୍କ ପୌରହିତ୍ୟରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଏଥିରେ ଝରିଗାଁ ସରପଞ୍ଚ ଯୋଗେଶ୍ୱର ପୂଜାରୀ ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।