କର୍ଲାମୁଣ୍ଡାରେ ସବରେଜିଷ୍ଟ୍ରେସନ କାର୍ଯାଳୟ ଉଦଘାଟିତ

କର୍ଲାମୁଣ୍ଡା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତହସିଲ କାର୍ଯ୍ୟାଳୟରେ ସବ-ରେଜିଷ୍ଟ୍ରେସନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଭୂପିନ୍ଦର ସିଂ, ତହସିଲଦାର ମିଲନ କୁମାର ଝାଙ୍କର, ବିଡିଓ ସୁଚରିତା ମୁଗ୍ରୀ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସହସରକାରୀ ଓକିଲ ନିରଞ୍ଜନ ନନ୍ଦ, ପୂର୍ବତନ ସରପଞ୍ଚ ଶେଷଦେବ ସାହୁ ଓ ଆଇନଜୀବୀ ସତ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀକୁ ରାଜ୍ୟ ସରକାର ପୂରଣ କରିଥିବାରୁ ରାଜ୍ୟ ସରକାରଙ୍କୁ ଜନସାଧାରଣ କୃତଜ୍ଞତା ଜଣାଇଥିଲେ । ଅନ୍ୟପଟେ ଉପକୋଷାଗାର ଖୋଲିବା ଦିଗରେ ସରକାର ପଦକ୍ଷେପ ନେବାକୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର, ବ୍ଲକ ଯୁବ ବିଜେଡି ସଭାପତି ସଙ୍ଗୀତ ଭୋଇ, ବ୍ଲକ ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ବିଜେଡ଼ି ନେତା ଶିବଲାଲ କେଡ଼ିଆ, ବିରଞ୍ଚି ରଣା, ଦୀନବନ୍ଧୁ ସାହୁ, ସୀମାଞ୍ଚଳ ଭୋଇ ଓ ତ୍ରିସଙ୍କ ରଣା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପ୍ରଥମ ଦିନରେ ୨୪ଜଣଙ୍କ ଜମି କିଣାବିକା ରେଜେଷ୍ଟ୍ରି ହୋଇଥିଲା । ସରକାରୀ କାର୍ଯ୍ୟକ୍ରମ କେବଳ ବିଜେଡି କର୍ମକର୍ତ୍ତାଙ୍କୁ ନେଇ ଆୟୋଜନ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲରେରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏହାସହ ସରକାରୀ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ତହସିଲଦାର ମିଲନ କୁମାର ଝାଙ୍କର ଶାସକ ଦଳର କର୍ମକର୍ତ୍ତାଙ୍କୁ ଅଗ୍ରାଧିକାର ଦେଇଥିବାରୁ ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।