ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରାଞ୍ଚଳରେ ଏକତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି । ପ୍ରଧାନପାଟ ରୋଡ଼ରେ ଥିବା ଏକ ଘରୋଇ ଫାଇନାନ୍ସ କାର୍ଯ୍ୟାଳୟରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ୨ଜଣ ଯୁବକ ହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବତୀ ଜଣକ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁ । ମିଳିଥିବା ରିପୋର୍ଟ ମୁତାବକ, ରୀତା ଅନ୍ୟ ଦିନମାନଙ୍କ ଭଳି ଗତକାଲି ରାତି ପ୍ରାୟ ୧୧ଟାରେ କାମ ସାରି ନିଜ ଭଡ଼ା ଘରକୁ ବାହାରିଥିଲେ । ମାତ୍ର ରୀତା ଅଫିସ ବାହାରେ ନିଜ ସ୍କୁଟିରେ ବସିବାକୁ ଯାଉଥିବାବେଳେ ପୂର୍ବରୁ ଛକି ରହିଥିବା ୨ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ସେମାନେ ପ୍ରଥମେ ଛୁରି ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ପରେ ପଥର କଚାଡ଼ି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ପୁଲିସକୁ ସୂଚନା ଦେବାସହ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ରୀତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ନିଜେ ଏସପି ପ୍ରମୋଦ କୁମାର ରଥ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକତରଫା ପ୍ରେମ ଯୋଗୁ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା । ମାତ୍ର ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଅଧିକ କିଛି ସୂଚନା ଦେବାକୁ ପୁଲିସ ମନା କରିଦେଇଛି।