ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ବିରଞ୍ଚିପାଲିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ରିପୋର୍ଟ ମୁତାବକ, ଗାଁରେ କୁଲା ବସାଇ ପାରା ଶିକାର କରୁଥିବା ଉମାକାନ୍ତ ନାୟକଙ୍କୁ ସେହି ଗ୍ରାମର ୩୦ ବର୍ଷୀୟ ଯୁବକ ରଞ୍ଜନ ନାୟକ ବାରଣ କରିବା ସହ ଏଭଳି କଲେ ବନ ବିଭାଗକୁ ସୂଚନା ଦେବେ ବୋଲି ଧମକ ଦେଇଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଉମାକାନ୍ତ ଆଜି ଅପରାହ୍ନରେ ଗାଁ ମୁଣ୍ଡରେ ରଞ୍ଜନକୁ ଦେଖି ଦେଶୀ ବନ୍ଧୁକରୁ ଗୁଳି ଫୁଟାଇ ହତ୍ୟା ଉଦ୍ୟମ କରିଥିଲା । ମାତ୍ର ଗୁଳିଟି ଲକ୍ଷ୍ୟ ଭ୍ରଷ୍ଟ ହେବାରୁ ରଞ୍ଜନ ଅଳ୍ପକେ ବର୍ତ୍ତି ଯାଇଥିଲେ । ବନ୍ଧୁକ ଧରି ଗ୍ରାମରେ ଆତଙ୍କ ଖେଳାଉଥିବା ଅଭିଯୁକ୍ତ ଉମାକାନ୍ତ ନାୟକକୁ କାବୁ କରିବା ପାଇଁ ଗ୍ରାମବାସୀମାନେ ଖଇରପାଲି ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉମାକାନ୍ତକୁ କାବୁ କରିବା ସହ ଦେଶୀ ବନ୍ଧୁକ ଜବତ କରିଥିଲା । ଏହାସହ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଥିବା ଜଣାପଡ଼ିଛି ।