ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ବଢ଼ାଇ ଦିଆଯାଇଛି। ସିସୋଦିଆଙ୍କୁ ଆଜି ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଅଦାଲତ ତାଙ୍କୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସିବିଆଇ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ଅଦାଲତକୁ କହିଥିଲେ ଯେ, ଯାଞ୍ଚ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗରେ ରହିଛି । ସେଥିପାଇଁ ଆମେ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବଢ଼ାଇବାକୁ ଦାବୀ କରୁଛୁ ।
ସୂଚନାଯୋଗ୍ୟ, ମନିଷ ସିସୋଦିଆ କୋର୍ଟରେ ହାଜର ହେବା ସମୟରେ ଆପ୍ ମୁଖ୍ୟାଳୟରେ ଆପ୍ କର୍ମକର୍ତ୍ତା ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ । ସେଥିପାଇଁ ପୁଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଉଜ ଏଭିନ୍ୟୁ କୋର୍ଟ ଓ ବିଜେପି ମୁଖ୍ୟାଳୟରେ ପୁଲିସ ପୂର୍ବରୁ ବ୍ୟାରିକେଡ ଲଗାଇଥିଲା ।