ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଗରିବ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆର୍ଥିକ ଓ ଚିକିତ୍ସା ସହାୟତା ଯୋଗାଉଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ୍ ଆହାର କେନ୍ଦ୍ର ମୂଲ୍ୟରେ ଆହାର ଯୋଗାଇ ବେଶ ପ୍ରଶଂସିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସରକାରୀ ଆହାର କେନ୍ଦ୍ର ରବିବାର ଓ ଛୁଟି ଦିବସରେ ବନ୍ଦ ରହୁଥିବାରୁ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆହାର ଯୋଜନାରୁ ବଞ୍ଚିତ ହୋଇ ଖାଦ୍ୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏହାର ସମାଧାନ କରିବାକୁ ଯାଇ ସ୍ବେଛାସେବୀ ଅନୁଷ୍ଠାନ ହ୍ୟାପି ଟୁ ହେଲ୍ପ ଫାଉଣ୍ଡେସନ୍ ସରକାରୀ ଆହାର କେନ୍ଦ୍ର ବନ୍ଦ ରହୁଥିବା ଦିନ ମାନଙ୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଆହାର କେନ୍ଦ୍ର ନିକଟରେ ୫ ଟଙ୍କା ମୂଲ୍ୟରେ ଆହାର ଯୋଗାଇବା ବ୍ୟବସ୍ଥା କରିଛି।
ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ଶୁକଦେବ ଭଞ୍ଜଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ସାମଲ ଯୋଗଦେଇ ଆହର ପାଇଁ ଆସିଥିବା ଜନସାଧାରଣଙ୍କ ଥାଳିରେ ଅନ୍ନ ପରଷି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀମତୀ ସାମଲ ୫ ହଜାର ଟଙ୍କା ଅର୍ଥ ରାଶି ଫାଉଣ୍ଡେସନକୁ ଦାନ କରି ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନର ସମ୍ପାଦକ ଆଲୋକ କୁମାର ଅମାନ୍ତ, ବିଷ୍ଣୁ ପ୍ରସାଦ ନାୟକ, ରାଜକିଶୋର ଦାଶ, ଶୋଭେନ କୁମାର ସାମଲ ଓ ଯତୀନ ନାୟକଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ।