ବଜ୍ରାଘାତରେ ୪ଜଣ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଜ୍ରାଘାତର ଶିକାର ହୋଇଥିବା ୪ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ଜଣ ସମାନ୍ୟ ଅସୁସ୍ଥ ଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଗୁରୁତର ଜଣକ ହେଲେ ରାଜୀବ ସା(୧୮) ଓ ଆହତମାନେ ହେଲେ ରଞ୍ଜନ ସାହୁ(୨୮), ଧନମାଳି ଭୁଏ(୨୭), ସୁଦାମ ସା (୫୦) ।

ମିଳିଥିବା ରିପୋର୍ଟ ମୁତାବକ, ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମରେ ପ୍ରତିବର୍ଷ ଭଳି ୧୪ ଦିନ ଧରି ରାମ ନବମୀ ଉତ୍ସବ ପାଳନ କରାଯାଉଥିଲା । ଉକ୍ତ ବ୍ୟକ୍ତିମାନେ ରନ୍ଧା କାମରେ ନିୟୋଜିତ ଥିବାବେଳେ ହଠାତ ବଜ୍ରାଘାତର ଶିକାର ହୋଇ ଟଳି ପଡ଼ିଥିଲେ । ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ ।