ବିଜେପି ଦେଶରେ ଜାତିଆଣ ଭେଦ ସୃଷ୍ଟି ସହ ଗଣତନ୍ତ୍ରର ହତ୍ୟା କରୁଥିବା କଂଗ୍ରେସ କଲା ଅଭିଯୋଗ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେଶରେ ବିଜେପି ଜାତିଆଣ ବିଭେଦ ସୃଷ୍ଟି କରୁଛି । ସ୍ଥାନୀୟ ଏକ ଘରୋଇ ହୋଟେଲରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏହି ଅଭିଯୋଗ କରିଛି । ଦେଶରୁ ପଳାୟନ କରିଥିବା ଲଳିତ ମୋଦୀ ଜଣେ ରାଜସ୍ଥାନୀ ମାରୱାଡି, ପୂର୍ବତନ ସାଂସଦ ପିରୁ ମୋଦୀ ଜଣେ ପାର୍ଶି, ସୟଦ ମୋଦୀ ଜଣେ ମୁସଲିମ ତେବେ ସବୁ ମୋଦୀ କିଭଳି ଓବିସି ହେଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି । ୨୦୧୯ ମସିହାରେ କର୍ଣ୍ଣାଟକରେ ଏକ ରାଜନୈତିକ ସଭାରେ ଉଦବୋଧନ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ବକ୍ତବ୍ୟକୁ ନେଇ ଗୁଜୁରାଟର ଜଣେ ବିଜେପି ବିଧାୟକ ପୁର୍ନେଶ ମୋଦୀ ସୁରଟ କୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିବା ପରେ ଗତ ୨୩ ତାରିଖ ସମ୍ପୃକ୍ତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ସର୍ବାଧିକ ଦଣ୍ଡାଦେଶ ଶୁଣାଇଥିଲେ । ଆଉ୨୪ ଘଣ୍ଟା ନପୂରୁଣୁ ରାହୁଲଙ୍କ ସାଂସଦ ଭାବେ ସଦସ୍ୟତା ଲୋକସଭାରୁ ରଦ୍ଦ କରାଯିବା ବିଜେପି ସରକାରର ହୀନ ରାଜନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଶିଳ୍ପପତି ଆଦାନୀଙ୍କ ସମ୍ପର୍କକୁ ନେଇ ସଂସଦରେ ରାହୁଲ ପ୍ରଶ୍ନ ଉଠାଇବା କାରଣରୁ ବିଜେପି ପ୍ରତିଶୋଧ ପରାୟଣ ହୋଇ ଗଣତନ୍ତ୍ରର କଣ୍ଠରୋଧ କରିବା ପ୍ରକ୍ରିୟା ଦେଶରେ ଆରମ୍ଭ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ପର୍ଯ୍ୟବେକ୍ଷକ ବିରେନ ସେନାପତି ଅଭିଯୋଗ କରିଛନ୍ତି । ବିଜେପିର ଏଭଳି ଏକଛତ୍ରବାଦୀ ଶାସନ ବିରୁଦ୍ଧରେ କଂଗ୍ରେସ ଗାଁ ଗାଁରେ ପହଞ୍ଚି ଘରେ ଘରେ ଆନ୍ଦୋଳନ କରିବା ସହ ଏହାର ପରିଣାମ ଆଗାମୀ ଦିନରେ ବିଜେପି ଭୋଗିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସସି ମୋର୍ଚ୍ଚା ସଭାପତି ମଞ୍ଜୁଳ ନାୟକ, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, ସମ୍ପାଦକ ବିନୋଦ ବିହାରୀ ନାୟକ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମିଶ୍ର, ପ୍ରମୋଦ କୁମାର ମିଶ୍ର, କ୍ଷିତୀଶ କୁମାର ପ୍ରଧାନ ଓ ଆମର୍ଜିତ ବାର୍ଲାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ପଦାଧିକାରୀ ଉପସ୍ଥିତ ଥିଲେ ।