ବାଲିଗୁଡ଼ା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମ ଯଜ୍ଞ କରିବା ସହ ରାମଚରିତ ପାଠ କରିଛନ୍ତି । ଏହି ଅବସରରେ ସକାଳୁ ମା’ ପାଟଖଣ୍ଡା ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ରାମେଶ୍ୱର ମନ୍ଦିର, ବିରୁପାକ୍ଷ ମନ୍ଦିର ଓ ହନୁମାନ ମନ୍ଦିରରେ ଭିଡ଼ ଲାଗି ରହିଥିଲା । ସେହିପରି ପାଟଖଣ୍ଡା ମନ୍ଦିର ପରିସରରେ ଥିବା ହନୁମାନ ମୂର୍ତ୍ତି ନିକଟରେ ସ୍ଥାନୀୟ ହନୁମାନ ଚାଳିଶା କମିଟି ତରଫରୁ ଘୃତଯଜ୍ଞ ସହ ଶ୍ରୀରାମ ଚାଳିଶା ଏବଂ ସନ୍ଧ୍ୟାରେ ଏକତ୍ରିତ ହୋଇ ଏକ ସୁସଜ୍ଜିତ ରଥରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶ୍ରୀରାମଙ୍କ ଫୋଟ ଲଗାଇ ବାଇକ ଓ ଚାଲି ଚାଲି ଏକ ବିରାଟ ଶୋଭାଯାତ୍ରାରେ କୁନି କୁନି ପିଲାଙ୍କୁ ନେଇ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ଭଳି ବିଭିନ୍ନ ବେଶଭୂଷାରେ ସଜ୍ଜିତ କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା ।
