ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗତକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ମେ’ ୧୦ ତାରିଖରେ ଜିଲ୍ଲାରେ କିଭଳି ସୁରୁଖୁରୁରେ ନିର୍ବାଚନ ସମ୍ପନ୍ନ ହେବ ସେନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଉପନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୩ଜଣ ଭୋଟର ଭୋଟ ଦେବେ । ସେଥିମଧ୍ୟରୁ ମହିଳା ଭୋଟର ସଂଖ୍ୟା ୭୧.୪୭ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୭୦.୩୮ ରହିଛିି । ଅସାଧୁ ଉପାୟରେ ଯେପରି କେହି ପ୍ରତିଦ୍ୱନ୍ଦୀ ଭୋଟରଙ୍କୁ ପ୍ରଭାବିତ ନ କରିବେ ସେନେଇ ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିବ ଏବଂ ମଦ, ଟଙ୍କା କିମ୍ବା ଅନ୍ୟ ସାମଗ୍ରୀର ଲୋଭ ଦେଖାଇ ଯେପରି ଭୋଟରଙ୍କୁ ପ୍ରଭାବିତ କରିପାରିବ ନାହିଁ ସେନେଇ ମଧ୍ୟ ଏକ ସ୍କ୍ୱାର୍ଡ ନଜର ରଖିବେ । ଯଦି କୌଣସି ବ୍ୟକ୍ତିଙ୍କର ନିର୍ବାଚନ ସମ୍ପର୍କିତ ସମସ୍ୟା କିମ୍ବା ଅଭିଯୋଗ ଥାଏ ଏକ ଟୋଲ ଫ୍ରି ନଂ ଜାରି କରାଯିବ ଏବଂ ଯଦି ଘଟଣାର ସତ୍ୟତା ଥିବ ତେବେ ତତକ୍ଷଣାତ ଏକ ମୁଭିଂ ଟିମ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିବ ଏବଂ ଆବଶ୍ୟକସ୍ଥଳରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ଏହି ଉପନିର୍ବାଚନରେ ଯେଭଳି ଅନ୍ୟ ଅଞ୍ଚଳର ବ୍ୟକ୍ତି ଆସି ନିର୍ବାଚନରେ କୌଣସି ପ୍ରଭାବ ନ ପକେଇବେ ସେନେଇ ପୁଲିସ ବିଭାଗ ସ୍ୱତନ୍ତ୍ର ଭାବେ ସଜାଗ ରହିବେ ଏବଂ ପ୍ରତିଟି କାର୍ଯ୍ୟକଳାପକୁ କିଭଳି ନଜରରେ ରଖାଯିବ ସେନେଇ ପ୍ରୟାସ କରାଯିବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି । ଏହାସହ ଉପନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଫୋର୍ସ ଆସିବା ସହ ଯଦି ଆବଶ୍ୟକ ପଡ଼ିଲେ ଜିଲ୍ଲା ବାହାରୁ ମଧ୍ୟ ପୁଲିସ ଅଧିକାରୀ ଆସି ସୁରକ୍ଷା ପ୍ରଦାନ କରିବେ ବୋଲି ଏସପି ସୂଚନା ଦେଇଛନ୍ତି । ପୁଲିସ ରିଟର୍ଣ୍ଣିଂ ଅଫିସର ଭାବରେ ଉପଜିଲ୍ଲାପାଳ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।