ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ୧୭ବର୍ଷୀୟା ଶାରୀରିକ ଅକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ବଶିଷ୍ଠ ଦିଗାଲ(୩୫)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବଶିଷ୍ଠକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ଅଧିକ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲ କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ୧୨ଜଣ ସାକ୍ଷୀଙ୍କ ବୟାନ ଆଧାରରେ ବିଚାର କରି ବଶିଷ୍ଠକୁ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ପୋସ୍କୋ କୋର୍ଟର ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।
ସୂଚନାଯୋଗ୍ୟ, ୨୦୧୯ ମସିହା ଏପ୍ରିଲ ୫ ତାରିଖରେ ପୀଡ଼ିତାର ବାପା ମା’ ଫୁଲବାଣୀ ଡାକ୍ତରଖାନା ଯାଇଥିଲେ । ପୀଡ଼ିତାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ତାଙ୍କୁ ନିଜ ଘର ବାରଣ୍ଡାକୁ ଟାଣି ନେଇ ତଳେ ପକାଇ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୀଡ଼ିତା ଚିତ୍କାର କରିଥିଲେ ଏବଂ ତାଙ୍କ ସାଙ୍ଗ ଆସିବାରୁ ଅଭିଯୁକ୍ତ ଦଉଡ଼ି ପଳାଇଥିଲା । ଏନେଇ ପୀଡ଼ିତା ଜଣକ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଥାନାଧିକାରୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ ।