ସାହାଣୀ କପ ଫୁଟବଲ କ୍ରୀଡ଼ା ପାଇଁ ଖେଳାଳି ଚୟନ କାର୍ଯ୍ୟକ୍ରମ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଜିଲ୍ଲା କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାହାଣୀ କପ ଫୁଟବଲ ପ୍ରତିଯୋଗିତା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ ଷ୍ଟାଡିୟମରେ ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଗତ ମଣ୍ଡେଇ ମହୋତ୍ସବରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ଆଧାରରେ ୭୦ଜଣ କ୍ରୀଡ଼ାବିତଙ୍କୁ ଚୟନ କରାଯାଇଥିଲା । ସେମାନଙ୍କୁ ନେଇ ସ୍ଥାନୀୟ ଷ୍ଟାଡିୟମରେ ଏକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ଏମାନଙ୍କୁ ମଧ୍ୟରୁ ୨୫ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ଲାଗି ବଛାଯାଇଛି । ଏହି ଚୟନ କାର୍ଯ୍ୟକ୍ରମରେ ଚୟନକର୍ତ୍ତା ଭାବେ ପ୍ରାକ୍ତନ ଫୁଟବଲ ଖେଳାଳି ଦୁର୍ଯ୍ୟୋ ହରିଜନ, ଫିରୋଜ ହିଆଲ, ବି. ଯୋଗେଶ କୁମାର, ସପନ ବୈରାଗୀ ଓ ବିଜୟ କାମର ନିଜ ଦାୟିତ୍ୱ ତୁଲାଇ ଥିବାବେଳେ କ୍ରୀଡ଼ା ସଂଘର ଉପସଭାପତି ଏମ୍ବାଲା କୃଷ୍ଣ ରାଓ ଖେଳାଳିଙ୍କ ନାମ ଘୋଷଣା କରିବା ସହ ଆଗାମୀ ଦିନରେ ଖେଳାଳିଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ନବରଙ୍ଗପୁର ଦଳ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ମ୍ୟାନେଜର ଏବଂ କୋଚ କିଏ ହେବ ସେନେଇ ଘୋଷଣା କରାଯିବ ବୋଲି ସଂଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଶଶାଙ୍କ ଶେଖର ବେହେରା ସହଯୋଗ କରିଥିଲେ ।