ନବରଙ୍ଗପୁର,ଏନ୍ଏନ୍ଏସ୍: ସହରର ଏକ କଲ୍ୟାଣ ମଣ୍ଡପରେ ଭିନ୍ନ ଢଙ୍ଗରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଓଡ଼ିଶା ନାଟ୍ୟ ସଂଘର ଜିଲ୍ଲା ସଂଯୋଜକ ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାର ଦେଉଥିବା ସୁବିଧାକୁ କଳାକାରମାନେ ଲାଭ ଉଠାଇବା ଦରକାର ବୋଲି କହିଥିଲେ । ଅନ୍ୟତମ ଅତିଥିରୂପେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲଜି ସାହୁ ଯୋଗଦେଇ ମଞ୍ଚ ନାଟକରେ ଯୁବ ପ୍ରତିଭାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଦିଲ୍ଲୀପ ହୋତା ଯୋଗଦେଇ ମଞ୍ଚ କଳାକାରର ଏନ୍ତୁଡ଼ି ଶାଳ ବୋଲି କହିଥିଲେ । ନିର୍ଦ୍ଦେଶକ ସୁରେଶ ମହାନ୍ତି ସମସ୍ତ କଳାକାର ସକ୍ରିୟ ହୋଇ ମଞ୍ଚ ମୁହାଁ ହେଲେ ମଞ୍ଚର ପୁରୁଣା ସ୍ମୁତି ଫେରିବାର ଆଭାସ ଦେଇଥିଲେ । ନାଟ୍ୟ ନିର୍ଦ୍ଦେଶକ ପ୍ରେମଚାନ୍ଦ ପଟ୍ଟନାୟକ ଯୁବପୀଢ଼ୀଙ୍କୁ ୟୁଟ୍ୟୁବୁ ଓ ମୋବାଇଲିଠାରୁ ଛଡ଼ାଇ ଆଣି ମଞ୍ଚରେ ଠିଆ କରିବାକୁ ପଡ଼ିବ ବୋଲି କହିଥିଲେ । ବରିଷ୍ଠ କଳାକାର ଅଶୋକ ପଣ୍ଡା, ଚିଦା ପଟ୍ଟନାୟକ ଓ ପ୍ରକାଶିନୀ ଚୌଧୁରୀ ମଞ୍ଚ ସୁନ୍ଦର ଅଭିନୟ କରିଥିବାବେଳେ ସୁରେଶ ମିଶ୍ର ଏକ ନାଟକ ଧର୍ମୀ ସଙ୍ଗୀତ ପରିବେଷଣ କରିଥିଲେ । ସହରର ନାଟ୍ୟ ପ୍ରେମୀ ସତ୍ୟ ନାରାୟଣ ଖଡ଼ଗରାୟ, ବିଶ୍ୱଭୂଷଣ ମହାନ୍ତି , ମନୋଜ ପଟ୍ଟନାୟକ, ଦୁର୍ଗା ପ୍ରଧାନୀ, ପ୍ରଭାସିନୀ ମହାନ୍ତି, ପ୍ରକାଶ ସାମନ୍ତରାୟ,କାର୍ତ୍ତିକ ତୁଳ ଓ ପ୍ରଭାତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜ ନିଜ ଅଭିମତ ରଖିଥିଲେ । ଦେବୀ ପ୍ରସାଦ ତ୍ରିପାଠୀ ଶେଷରେ ସମସ୍ତ ଉପସ୍ଥିତ ଥିବା ମଞ୍ଚ ନିର୍ଦ୍ଦେଶକ, ନାଟ୍ୟକାର, ଶ୍ରୋତା, ଦର୍ଶକ, ଗଣମାଧ୍ୟମ ବନ୍ଧୁ ଓ ସମସ୍ତ ପ୍ରଚ୍ଛଦପଟରେ ସାହଯ୍ୟ ସହଯୋଗର ହାତ ବଢ଼ାଇଥିବା ଜନ ସମୂହଙ୍କୁ ଧନ୍ୟବାଦ ଦେଇଥିଲେ ।