ନବରଙ୍ଗପୁର,ଏନ୍ଏନ୍ଏସ୍: ଚୋରି ଟଙ୍କାରେ ମଉଜ ମଜଲିସ କରୁଥିବା ୫ ଚୋରକୁ ଗିରଫ କରିବାରେ ନବରଙ୍ଗପୁର ପୁଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ହରିଜନ, ଧନୁର୍ଜୟ ହରିଜନ, ସହଦେବ ନାୟକ, ଅମିର ଭତରା ଓ ରିତକ ହରିଜନ । ସମ୍ପୃକ୍ତ ଅଭିଯୁକ୍ତମାନେ ଚୋରି ଟଙ୍କାରେ ଗୋଟେ ଆଇଫୋନ ଓ ୨ଟି ସେକେଣ୍ଡ ହ୍ୟାଣ୍ଡ ବାଇକ କିଣି ଜଗଦଲପୁର ସମେତ ବହୁ ସ୍ଥାନ ବୁଲି ମଉଜ କରୁଥିଲେ । ପୁଲିସର ସନ୍ଦେହ ହେବାରୁ ସେମାନଙ୍କୁ ସ୍କାନରକୁ ଆଣିଥିଲେ।
ମିଳିଥିବା ରିପୋର୍ଟ ମୁତାବକ, ଦଶରାପଦାର ଏନ୍. ନାଗରତ୍ନମଙ୍କ ପରିବାର ବିଜୟନଗର ଯାଇଥିଲେ । ଗତ ୧୪ ତାରିଖରେ ଫେରି ଦେଖିଲେ ଘରେ କିଛି ନାହିଁ । କବାଟ ଭାଙ୍ଗି, ଆଲମୀରା ତାଡ଼ି ସୁନା, ରୂପା ଓ ଟଙ୍କା ସବୁ ଚୋରି ହୋଇଥିବା ନେଇ ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏମାନଙ୍କଠାରୁ ୯୭.୪୭ ଗ୍ରାମର ସୁନା ଗହଣା, ୪୩୦ଗ୍ରାମ ରୂପା ସାମଗ୍ରୀ, ନଗଦ ୨ଲକ୍ଷ ୧୬ହଜାର ଟଙ୍କା, ଚୋରି ଟଙ୍କାରେ କିଣାଯାଇଥିବା ୨ଟି ବାଇକ ଓ ଆଇଫୋନକୁ ପୁଲିସ ଜବତ କରିଛି । ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଏଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଥାନାଧିକାରୀ ନରେଶ ପ୍ରଧାନ, ଏଏସଆଇ କୁଳଭୂଷଣ ନାୟକ ଓ ତୁଳସୀରାମ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।