ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ସମ୍ମିଳନୀ କକ୍ଷରେ ଆଜି ବନ ବିଭାଗ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ୱାଇଲଡ ଲାଇଫ ୱାର୍ଡେନ ଲଳିତ ମୋହନ ସାହୁ ଚଳିତ ବର୍ଷର ବିଷୟ ବସ୍ତୁ ସ୍ୱାସ୍ଥ୍ୟ ପାଇଁ ଜଙ୍ଗଲ ସମ୍ପର୍କିତ ଆଲୋଚନାରେ ବନ ସହ ପ୍ରାଣୀ ଜଗତର ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଦେବଗଡ଼ ଜିଲ୍ଲା ବାନାଗ୍ନି ରୋକିବାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବାବେଳେ ଏଥିଯୋଗୁ ବହୁ ଔଷଧୀୟ ବୃକ୍ଷ ଲୋପ ପାଉଥିବା ଚିନ୍ତାର କାରଣ ସାଜିଥିବା ନେଇ ବନଖଣ୍ଡ ଅଧିକାରୀ ଶ୍ରୀ ରାଓସୋ ପ୍ରକାଶ କରିଥିଲେ । ସେହିପରି ନୂତନ ବନ ସୃଷ୍ଟି କରିବା ସହ ଲୋକଙ୍କୁ ବନଜାତ ଉତ୍ପାଦରୁ ଜୀବିକା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସିଏଫ ସୁଧାଶ୍ରୀ ପ୍ରଧାନ ମଞ୍ଚାସିନ ରହିଥିବାବେଳେ ବନପାଳ ଭୀମସେନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାନାଗ୍ନି ରୋକିବା ଏବଂ ବନ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ବିଭାଗ ପକ୍ଷରୁ ମାନପତ୍ର ଓ ବୃକ୍ଷ ଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।