ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମୋଟ ୩ଲକ୍ଷ ୯୮ହଜାର ୫୭୭ ଜଣ ସରକାରୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏହାସତ୍ୱେ ମଧ୍ୟ ଲକ୍ଷାଧିକ ସରକାରୀ ପଦବୀ ଖାଲି ରହିଛି । ଏନେଇ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି । ବିଧାନସଭାରେ ବିଧାୟିକା କୁସୁମ ଟେଟେ ରାଜ୍ୟରେ କେତେ ସଂଖ୍ୟକ ସରକାରୀ କର୍ମଚାରୀ କାମ କରୁଛନ୍ତି, କାର୍ଯ୍ୟ କରୁଥିବା ଠିକା କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲି ପଡ଼ିଥିବା ପଦବୀ ସଂଖ୍ୟା କେତେ ସେନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଖାଲି ପଡ଼ିଥିବା ପଦବୀ ଓ ମଞ୍ଜୁରୀପ୍ରାପ୍ତ ପଦବୀର ତଥ୍ୟ ଏଇଆରଆର ଜରିଆରେ ଏଚଆରଏମଏସ ଦ୍ୱାରା ଅର୍ଥ ବିଭାଗ ସଂଗ୍ରହ କରିଥାଏ । ଡିସେମ୍ବର ୨୦୨୧ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସର୍ବମୋଟ ୩ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ଏହାସତ୍ୱେ ମଧ୍ୟ ୨ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି । ତେବେ ଠିକା ଭିତ୍ତିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଏଇଆରଆରରେ ସ୍ଥାନ ପାଏନାହିଁ । ସେସବୁର ତଥ୍ୟ ବିଭାଗୱାରୀ ଉପଲବ୍ଧ ରହିଥାଏ । ଏବେ ଅର୍ଥ ବିଭାଗରେ ୭୨ଜଣ ଠିକାଭିତ୍ତିକ କର୍ମଚାରୀ ଓ ୮୫ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।