ଆର୍‌ସିବିର ପ୍ରଥମ ବିଜୟ

ମୁମ୍ବାଇ,ଏଜେନ୍ସି: ଚଳିତ ମହିଳା ପ୍ରିମିୟର ଲିଗ୍‌ରେ ଲଗାତାର ୫ ମ୍ୟାଚ୍‌ ହାରିଯିବା ପରେ ବୁଧବାର ସନ୍ଧ୍ୟାରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କନିକା ଆହୁଜା ଓ ରିଚା ଘୋଷଙ୍କ ଦ୍ରୁତ ରନ୍‌ ସହାୟତାରେ ଆର୍‌ସିବି ୧୨ ବଲ୍‌ ପୂର୍ବରୁ ୫ ୱିକେଟ୍‌ରେ ୟୁପି ୱାରିଅର୍ସକୁ ହରାଇଛି।

ଟସ୍‌ ଜିତି ଆର୍‌ସିବି କ୍ଷେତ୍ରରକ୍ଷଣ କରିଥିଲା ବେଳେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୟୁପି ୱାରିଅର୍ସ ୧୩୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରଥମ ଓଭରରେ ଦେବିକା ବୈଦ୍ୟ (୦) ଓ ଆଲିସା ହିଲି (୧)ଙ୍କୁ ସୋଫି ଡିଭାଇନ୍‌ ଆଉଟ୍‌ କରିଥିଲା ବେଳେ ଦ୍ବିତୀୟ ଓଭରରେ ତାହିଲା ମ୍ୟାଗ୍ରାଥ (୨)ଙ୍କୁ ମେଗାନ ସ୍କୁଟ୍‌ ଆଉଟ୍‌ କରି ଆର୍‌ସିବିକୁ ବଡ଼ ସଫଳତା ଦେଇଥିଲେ। ପାୱାରପ୍ଲେ ମଧ୍ୟରେ ପ୍ରଥମ ୩ ଜଣଙ୍କୁ ହରାଇବା ପରେ ମଧ୍ୟ ନିୟମିତ ଅନ୍ତରାଳରେ ୱିକେଟ୍‌ ଖସି ଚାଲିଥିଲା। କେବଳ ଗ୍ରେସ୍‌ ହାରିସ୍‌ଙ୍କ ବ୍ୟାଟ୍‌ରୁ କିଛି ଆକର୍ଷଣୀୟ ସଟ୍‌ (୪୬ ରନ୍‌, ୫ ଚୌକା, ୨ ଛକା) ଦେଖିବାକୁ ମିଳିଥିଲେ ବି ସ୍ଲଗ୍‌ ଓଭର ଆରମ୍ଭ ପୂର୍ବରୁ ତାଙ୍କ ୱିକେଟ୍‌ ଚାଲିଯିବାରୁ ପୁଣି ଥରେ ରନ୍‌ ଗତି ଧିମା ହୋଇଯାଇଥିଲା।

ଶେଷରେ ୩ ବଲ୍‌ ବାକି ଥାଇ ଦଳର ସମସ୍ତ ୱିକେଟ୍‌ର ପତନ ଘଟିଥିଲା। ୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆର୍‌ସିବି ମଧ୍ୟ ପ୍ରଥମରୁ ନିରାଶ କରିଥିଲା। ଯଦିଓ ପ୍ରଥମ ଓଭରରୁ ଚୌକା, ଛକା ମାରି ସୋଫି ଡିଭାଇନ୍‌ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ହେଲେ ଓଭରର ଶେଷ ବଲ୍‌ରେ ଗ୍ରେସ୍‌ ହାରିସ୍‌ ତାଙ୍କୁ ଡିପ୍‌ ମିଡ୍‌ ୱିକେଟ୍‌ରେ କ୍ୟାଚ୍‌ ଆଉଟ୍‌ କରିଥିଲେ। ଦ୍ବିତୀୟ ଓଭରରେ ଅଧିନାୟିକା ସ୍ମୃତି ମନ୍ଧାନା ପୁଣି ଥରେ ନିରାଶ କରି ଖାତା ଖୋଲିବା ଆଗରୁ ଆଉଟ୍‌ ହୋଇଯାଇଥିଲେ। ମଧ୍ୟକ୍ରମରେ ହିଦର ନାଇଟ୍‌ (୨୪) ଓ କନିକା ଆହୁଜା (୪୬) ଦ୍ରୁତ ଖେଳି ଦଳକୁ ବିଜୟ ଆଶା ଦେଇଥିଲେ। ‌ଉଭୟଙ୍କ ୱିକେଟ୍‌ ପରେ ରିଚା ଘୋଷ (୩୧) ବଳକା କାମ କରିବା ସହ ୨ ଓଭର ପୂର୍ବରୁ ଦଳକୁ ଜିତାଇଥିଲେ।

ସଂକ୍ଷିପ୍ତ ସ୍କୋର: ୟୁପି ୱାରିଅର୍ସ ୧୯.୩ ଓଭରରେ ୧୩୫/୧୦ (ଗ୍ରେସ୍‌ ହାରିସ୍‌ ୪୬, କିରଣ ନଭଗିରେ ୨୨, ଦୀପ୍ତି ଶର୍ମା ୨୨, ଏଲିସା ପେରି ୩/୧୬, ସୋଫି ଡିଭାଇନ୍‌ ୨/୨୩, ଶୋଭନା ଆଶା ୨/୨୭)। ଆର୍‌ସିବି ୧୮ ଓଭରରେ ୧୩୬/୫ (କନିକା ଆହୁଜା ୪୬, ରିଚା ଘୋଷ ୩୧*, ହିଦର ନାଇଟ୍‌ ୨୪, ଦୀପ୍ତି ଶର୍ମା ୨/୨୬, ଦେବିକା ବୈଦ୍ୟ ୧/୧୯)।