ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼-ପାଲଲହଡ଼ା ରେଙ୍ଗାଲି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଆଜି ୧୨ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ପୂର୍ବାହ୍ନରେ ଗୋପାଳଜୀ ମନ୍ଦିର କଲ୍ୟାଣ ମଣ୍ଡପରୁ ରେଙ୍ଗାଲି ବନ୍ଧ ବାସଚ୍ୟୁତଙ୍କ ପକ୍ଷରୁ ଜନ ସମାବେଶ ପରେ ସୁରକ୍ଷା ସମିତି ସଭାପତି ନେତ୍ରାନନ୍ଦ ସାମଲଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରେବୀକା ବିଲୁଙ୍ଗଙ୍କୁ ପ୍ରଦାନ କରିଥିଲେ । ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୦୧୦ ମସିହା ଜୁଲାଇ ୭ ତାରିଖ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଅନୁଯାୟୀ ଅଦାଲତରେ ବିଚାର ପାଇଁ ଆବେଦନ ହୋଇନଥିବା ବୁଡ଼ି ଜମିର ଏକର ପ୍ରତି ୫୦ ହଜାର ଟଙ୍କା ଅନୁକମ୍ପା ମୂଳକ କ୍ଷତିପୂରଣ ପ୍ରଦାନ, ଦେବଗଡ଼ସ୍ଥିତ ଜୋନ କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ନିଯୁକ୍ତି, ଆଂଶିକ ବୁଡ଼ି ଗ୍ରାମକୁ ସମ୍ପୂର୍ଣ ବୁଡ଼ି ଘୋଷଣା, ପୁନଃବସତି ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ, ସ୍ଥାୟୀ ଜମିପଟ୍ଟା ପ୍ରଦାନ, ଲିଜ ଅର୍ଥ ବାବଦକୁ ପ୍ରଦାନ କରାଯାଇଥିବା ୧୪ ହଜାର ୪୦ ଟଙ୍କା ଫେରସ୍ତ ନିଆଯାଇ ଜମି ପ୍ରଦାନ, ଡି ପି କେନାଲ କ୍ଷତିପୂରଣ, ବାସଚ୍ୟୁତ ପରିବାର ଚିହ୍ନଟ ଓ ଥଇଥାନ ଆଦି ଉଲ୍ଲେଖ ରହିଛି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁରକ୍ଷା ସମିତିର ଉପସଭାପତି ପର୍ଶୁରାମ ବେହେରା, କିଶୋର ଚନ୍ଦ୍ର ସାମଲ, ପ୍ରହ୍ଲାଦ ଚନ୍ଦ୍ର ଗଡ଼ନାୟକ, ନିରଞ୍ଜନ ବେହେରା, ବିଶ୍ୱନାଥ ସ୍ୱାଇଁ, ଦିବ୍ୟଶଙ୍କର ଦ୍ୱିବେଦୀ, ବିଜୟ କୁମାର ସାହୁ, ସମ୍ପାଦକ ଚୌଧୁରୀ ବେହେରା, ଉପଦେଷ୍ଟା ରଞ୍ଜନ କୁମାର ସାହୁ ଓ ରାଜକିଶୋର ନାୟକଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।