ପାଟଣାଗଡ଼,ଏନ୍ଏନ୍ଏସ୍: ତେଲେଙ୍ଗାନାକୁ କାମ କରିବାକୁ ଯାଇ ବେଲପଡ଼ା ଥାନା ଅନ୍ତଗର୍ତ ବନମାଲ ଗ୍ରାମର ସୁକେଦବ ପରାଭୁଏଙ୍କ ମୃତ୍ୟୁ ଘଟିଛି । ୨ ଦାଦନ ସର୍ଦ୍ଦାରଙ୍କ ଦାୟିତ୍ୱହୀନତା ଯୋଗୁ ସୁକେଦବଙ୍କ ମୃତ୍ୟୁ ଘଟିଥିବାରୁ ଅଭିଯୋଗକ୍ରମେ ପୁଲିସ ଦୁହିଁଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ବନମାଲ ଗ୍ରାମର ବିଦ୍ୟାଧର ସାହୁ ଓ ତେଲଗୁ ସା ।
ମିଳିଥିବା ରିପୋର୍ଟ ମୁତାବକ, ବେଲପଡ଼ା ଥାନା ଅନ୍ତଗର୍ତ ବନମାଲ ଗ୍ରାମର ସୁକେଦବ ପରାଭୁଏଙ୍କ ପରିବାର ଉପରୋକ୍ତ ୨ ସର୍ଦ୍ଦାରଙ୍କ ଜରିଆରେ ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ । ତେବେ ସେଠାରେ ୪ ମାସ କାମ କଲା ପରେ ହଠାତ୍ ତାଙ୍କ ଦେହ ଖରାପ ହୋଇଥିଲା । ସୁକେଦବକୁ ଚିକିତ୍ସା ପାଇଁ ତାଙ୍କ ସ୍ତ୍ରୀ ଉଷା ପରାଭୁଏ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ସେଠାରେ ଚିକିତ୍ସିତ ହେଉଥିବାବେଳେ ସୁକେଦବର ମୃତ୍ୟୁ ହୋଇଥିଲା । ମୃତ ସ୍ୱାମୀକୁ ନିଜ ଘରକୁ ଆଣି ଉଷା ଝିଅକୁ ଇଟାଭାଟି ମାଲିକ ପାଖରେ ବନ୍ଧକ ରଖିଥିଲେ । ବନମାଲ ଗ୍ରାମର ୨ଜଣ ସର୍ଦ୍ଦାର ବିଦ୍ୟାଧର ସାହୁ ଓ ତେଲଗୁ ସା’ଙ୍କ ଜରିଆରେ ପରାଭୁଏଙ୍କ ପରିବାର ତେଲେଙ୍ଗାନାକୁ କାମ କରିବା ପାଇଁ ଯାଇଥିଲେ । ସ୍ୱାମୀ ମୃତ୍ୟୁ ମାମଲାକୁ ରଫାଦଫା କରିବାକୁ ସେଠାରେ ଇଟାଭାଟି ମାଲିକ ଉଦ୍ୟମ କରିବା ସହ ଶବଟିକୁ ମାଟି ତଳେ ପୋତି ଦେବାକୁ କହିଥିଲା । ପରେ ସ୍ୱାମୀର ମୃତଦେହକୁ ଉଷା ନିଜ ଗ୍ରାମକୁ ଆଣି ସବୁ କଥା ଗ୍ରାମବାସୀଙ୍କଠାରେ କହିବା ପରେ ୨ଜଣ ସର୍ଦ୍ଦାରଙ୍କ ବିରୁଦ୍ଧରେ ବେଲପଡ଼ା ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ୨ ସର୍ଦ୍ଦାରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଇଥିଲା । ପରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି ।