ନେଟୱର୍କ ସମସ୍ୟା ସମାଧାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଡିମିରିଗୁଡ଼ାବାସୀ

ଗୁମାଗଡ଼,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତବାସୀ ମୋବାଇଲ ନେଟୱାର୍କ ଦାବୀରେ ଦୀର୍ଘ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ନେଟୱର୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆନ୍ତରିକତା ନ ଦେଖାଇବାରୁ ଡିମିରିଗଡ଼ା ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତବନୀ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ସମୟରେ ନେତାମାନେ ଆସି ଭୋଟ ଦେଲେ ଆମେ ତମ ଗାଁ ରେ ଟାୱାର ବସାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଜିତିବା ପରେ କିଛି ପଦକ୍ଷେପ ନେଲେ ନାହିଁ । ଗ୍ରାମବାସୀଙ୍କ ଦାବୀ ଯୋଗୁ ବର୍ତ୍ତମାନର ସରପଞ୍ଚ ବିଭିନ୍ନ ଅଫିସ୍ ଯାଇ ଜଣାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଗତ ନଭେମ୍ବରରେ ଏନେଇ ପ୍ରତିବାଦରେ କରି ପଞ୍ଚାୟତ ଅଫିସରେ ତାଲା ପକା ଯାଇଥିଲା । କିଛିଦିନ ପରେ ସ୍ଥାନୀୟ ବିଡିଓ ଏବଂ ତହସିଲଦାର ଆସି ଫେବୃୟାରୀ ଶେଷ ସୁଦ୍ଧା ଗାଁରେ ଟାୱାର ବସି ନେଟୱାର୍କ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଫିଟା ଯାଇଥିଲା । କିନ୍ତୁ ଆଜିପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ସେଥିପାଇଁ ବାଧ୍ୟ ହୋଇ ଗତ ୧ ତାରିଖରୁ ପୁଣି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଯାଇଛି । ତଥାପି କେହି ପ୍ରଶାସନିକ ଅଧିକାରୀ ଆସିଲେ ନାହିଁ କି ସମସ୍ୟାର ସମାଧାନ ହେଲାନି । ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ ପୂରଣ ନ ହେଲେ ବୁଧବାରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି ବିଜେପି ଯୁବ ନେତା ରଘୁପତି କହଁର, ମାନସ କୁମାର ଦିଗାଲ, ମିଲନ ଦିଗାଲ ଓ ଚିତ୍ତରଞ୍ଜନନ ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି ।