ମୁମ୍ବାଇ,ଏଜେନ୍ସି: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ଆରିସିବି ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ । ଦଳ ପାଇଁ ମ୍ୟାଚ ଜିତିବା ସ୍ବପ୍ନ ପରି ହୋଇଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ହାରିବାକୁ ଲାଗିଛି ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ମହିଳା ପ୍ରିମିୟର ଲିଗ ୧୧ ତମ ମ୍ୟାଚରେ ଦିଲ୍ଲୀ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲ୍ଲୀ ଆରସିବିକୁ ୬ ୱିକେଟରେ ପରାସ୍ତ କରିଛି । ଏହା ବାଙ୍ଗାଲୋରର ପଞ୍ଚମ ପରାଜୟ । ୧୫ ବଲରେ ଅପରାଜିତ ୨୯ ରନ କରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସେନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ପଞ୍ଚମ ପରାଜୟ ସହ ବାଙ୍ଗାଲୋର ପ୍ଲେ ଅଫ ଦୌଡରୁ ବାଦ ପଡିଛି ।
ପ୍ରଥମ ଟସ ଜିତି ଫିଲ଼୍ଡିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ କ୍ୟାପିଟାଲ୍ସ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆରସିବିର ଦୁଇ ଓପନର ସ୍ମୃତି ମାନ୍ଧାନା ଓ ସୋଫି ଡାଭାଇନ ବିଫଳ ହୋଇଥିଲେ । ମାନ୍ଧାନା ୮ ଓ ସୋଫି ୨୧ ରନ କରି ସଅଳ ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ ପରେ ବ୍ୟାଟିଂ ପାଇ ଆସିଥିବା ଏଲିସ ପେରୀ ଦୃଢ ବ୍ୟାଟିଂ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଏଲିସା ପେରୀ ୫୨ ବଲରେ ଅପରାଜିତ ୬୭(୪ ଚୌକା, ୫ ଛକା) ରନ କରିଥିଲେ । ରିଚା ଘୋଷ ୧୬ଟି ବଲରୁ ଦ୍ରୁତ ୩୭ ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୧୫୦ ରନ କରିଥିଲା । ଦିଲ୍ଲୀକୁ ୧୫୧ ରନ ବିଜୟ ଲକ୍ଷ୍ୟ ଦେଇଥିଲା ଆରିସିବି । ବାଙ୍ଗାଲୋର ପକ୍ଷରୁ ଶିଖା ପାଣ୍ଡେ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ତାରା ନରିସ ଗୋଟିଏ ୱିକେଟ ହାସଲ କରିଥିଲେ ।
୧୫୧ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଦିଲ୍ଲୀ । ୧ ରନରେ ଦିଲ୍ଲୀର ପ୍ରଥମ ୱିକେଟ ପତନ ହୋଇଥିଲା । ସେଫାଳି ବର୍ମା ଖାତା ଖୋଲି ନପାରି ଆଉଟ ହୋଇଥିଲେ । ମେଗାନ ସ୍କଟଙ୍କ ଶିକାର ହୋଇଥିଲେ ସେଫାଳି । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଆଲିସ କ୍ୟାପସୀ ଅଧିନାୟିକା ମେଗ ଲାନିଙ୍ଗଙ୍କ ସହ ମିଶି ଦଳୀୟ ସ୍କୋରକୁ ୪୫ରେ ପହଞ୍ଚାଇଥିଲେ । କ୍ୟାପସୀ ୨୪ ବଲରେ ୩୮ ରନ କରି ଆଉଟ ହୋଇଥିଲେ । ପରେ ପରେ ମେଗ ଲାନିଙ୍ଗ ୧୫ ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ଜେମିମା ରୋଡ୍ରିଗ୍ସ ଓ ମାରିଜାନ କାପ ଦଳୀୟ ସ୍କୋରକୁ ୧୦୯ରେ ପହଞ୍ଚାଇଥିଲେ । ଜେମିମା ୩୨ ରନ କରି ଆଉଟ ହୋଇଥିଲେ । ମ୍ୟାଚ ଆରସିବି ଆଡକୁ ଢଳୁଥିଲା । ମାତ୍ର ଜେସ ଜୋନାସେନ ଓ ମାରିଜାନ କାପ ଦୃଢ ବ୍ୟାଟିଂ କରି ମ୍ୟାଚ ମୋଡ ବଦଳାଇ ଦେଇଥିଲେ ।