ପାଟଣାଗଡ଼,ଏନ୍ଏନ୍ଏସ୍: ପାଢ଼େଲ ଅନ୍ତର୍ଗତ ରେଙ୍ଗାଲଜୁରୀ ଗ୍ରାମ ନିକଟସ୍ଥ ବାଙ୍କୁଡ଼ି ଜଙ୍ଗଲରେ ଏକ ଗଛରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଭାରତୀ ମଲ୍ଲିକ(୪୨) । ଭାରତୀ ଗତ ୨୬ ତାରିଖରୁ ରେଙ୍ଗାଲଜୁରୀସ୍ଥିତ ନିଜ ସ୍ୱାମୀଙ୍କ ଘରୁ ଚାଲିଯାଇଥିବାବେଳେ ଆଜି ମୃତଦେହ ଗଛରେ ଝୁଲୁଥିବା ଯୁବତୀଙ୍କ ବାପଘର ଲୋକ ଖବର ପାଇ ଲରମ୍ଭା ପୁଲିସକୁ ଜଣାଇଥିଲେ । ପୁଲିସ ପହଞ୍ଚି ଶବକୁ ଜବତ କରିଛି । ଅନ୍ୟପଟେ ଭାରତୀଙ୍କୁ ତାଙ୍କ ସ୍ୱାମୀ ସନ୍ତୋଷ ମଲ୍ଲିକ ହତ୍ୟା କରି ଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ଭାରତୀଙ୍କ ବଡ଼ ଭାଇ ଗଣ୍ଡାରାମ ବଗର୍ତ୍ତି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ମିଳିଥିବା ରିପୋର୍ଟ ମୁତାବକ, ସ୍ଥାନୀୟ ରାମପୁର ଗଣ୍ଡପଡ଼ାର ମାଖୁନୁ ବଗର୍ତ୍ତିଙ୍କ ଝିଅ ରେଙ୍ଗାଲଜୁରୀ ଗ୍ରାମର ସନ୍ତୋଷ ମଲ୍ଲିକଙ୍କୁ ବିବାହ କରିଥିଲେ । ସେମାନଙ୍କର ୧୭ ବର୍ଷ ବୟସ୍କ ଏକ ପୁତ୍ର ସନ୍ତାନ ରହିଛି । ତେବେ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବାବେଳେ ଅନେକ ସମୟରେ ସନ୍ତୋଷଙ୍କ ଅତ୍ୟାଚାର ସହି ନ ପାରି ଭାରତୀ ରାମପୁରସ୍ଥିତ ନିଜ ବଡ଼ ଭାଇ ଗଣ୍ଡାରାମ ଘରକୁ ଚାଲି ଆସନ୍ତି । ପୁଣି କିଛି ଭଦ୍ର ଲୋକଙ୍କ ମଧ୍ୟସ୍ଥତା ପରେ ସନ୍ତୋଷ ନିଜ ସ୍ତ୍ରୀଙ୍କୁ ଘରକୁ ନେଇଯାଆନ୍ତି । ଏହି କ୍ରମରେ ନିଜ ବାପ ଘରେ ଥିବା ଭାରତୀଙ୍କୁ ପ୍ରାୟ ୧୫ ଦିନ ତଳେ ସନ୍ତୋଷ ନିଜ ଘରକୁ ଫେରାଇ ନେଇଥିଲେ । ତେବେ ଗତ ୨୬ ତାରିଖ ଦିନ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବା ପରେ ମା’ ଘର ଛାଡ଼ି କୁଆଡ଼େ ଚାଲିଯାଇଥିବା ନେଇ ମାମୁଁ ଗଣ୍ଡାରାମଙ୍କୁ ଭାରତୀଙ୍କ ପୁଅ ଜଣାଇଥିଲେ । ବହୁ ଖୋଜାଖୋଜି କରିବା ସତ୍ୱେ ଭଉଣୀର କୌଣସି ସନ୍ଧାନ ନ ପାଇବା ପରେ ଜ୍ୱାଇଁ ସନ୍ତୋଷ କୌଣସି ଅଘଟଣ ଘଟାଇଥିବା ଆଶଙ୍କା ପ୍ରକାଶ କରି ଗଣ୍ଡାରାମ ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ତେବେ ଆଜି ଭଉଣୀର ମୃତଦେହ ଜଙ୍ଗଲ ମଧ୍ୟରେ ଏକ ଗଛରେ ଝୁଲୁଥିବା ଦେଖିବା ସହ ଘଟଣାସ୍ଥଳର ପାରିପାଶ୍ୱର୍ିକ ଅବସ୍ଥାକୁ ଦେଖି ସନ୍ତୋଷ ନିଜ ସ୍ତ୍ରୀ ଭାରତୀଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ନେଇ ଗଣ୍ଡାରାମ ଅଭିଯୋଗ କରିଛନ୍ତି । ଉକ୍ତ ଲିଖିତ ଅଭିଯୋଗକୁ ଭିତ୍ତି କରି ଲରମ୍ଭା ପୁଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରିଛି । ବଲାଙ୍ଗିରରୁ ଫୋରେନସିକ ଦଳ ପହଞ୍ଚି ତଦନ୍ତ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ଜଣାପଡ଼ିଛି ।