ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ପଦ୍ମପୁର ରାସ୍ତାର ଗୌଡ଼ପାଲ ଜୁରିଆ ନିକଟରେ ଗତକାଲି ରାତି ୨ଟାରେ ଏକ ଘରୋଇ ବସ ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ବେଲପଡ଼ା ଥାନା ଅନ୍ତର୍ଗତ ନାଗଫେଣା ଗ୍ରାମର ସମାରୁ ବରିହା । ମିଳିଥିବା ରିପୋର୍ଟ ମୁତାବକ, ବସଟି ଦହିଗାରୁ ବରଯାତ୍ରୀ ଧରି ବେଲପଡ଼ା ସର୍ଗଗୁଡ଼ା ଯାଉଥିବାବେଳେ ଖପ୍ରାଖୋଲ ମାଲପଡ଼ାରୁ ଜଣେ ଯୁବକ ଭଉଣୀର ବାହାଘର ସାମଗ୍ରୀ ନେଇ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ବାଇକ ଚାଳକ ଭାରସାମ୍ୟ ହରାଇ ବସରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବସକୁ ପାଟଣାଗଡ଼ ଥାନାକୁ ଆଣି ଚାଳକକୁ ଅଟକ ରଖି ଲରମ୍ଭା ପୁଲିସ ଅଧିକ ପଚରାଉଚୁରା କରୁଛି । ଆଜି ଲରମ୍ଭା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।