ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପୀଭୀ ସିନ୍ଧୁ ପ୍ରତିଟି ଟୁର୍ଣ୍ଣାମେଣ୍ଟରେ ଦେଶବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । କିନ୍ତୁ ଜଣେ ସଫଳ ଖେଳାଳି ପଛରେ ତା’ର କଠିନ ପରିଶ୍ରମ ଓ କୋଚିଂର ସବୁଠୁ ବଡ଼ ଭୂମିକା ରହିଥାଏ । ସିନ୍ଧୁଙ୍କ ଅଲମ୍ପିକରେ ୨ଥର ପଦକ ଜିତିବା ପଛରେ ତାଙ୍କ କୋରିଆ କୋଚ ପାର୍କ ତାଏ-ସେଙ୍ଗଙ୍କ ବଡ଼ ଭୂମିକା ରହିଛି । ଆଉ ଏବେ ସିନ୍ଧୁ ଏକ ବଡ଼ ପଦକ୍ଷେପ ସ୍ୱରୂପ କୋଚ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ସିନ୍ଧୁ ୨୦୦୩ରେ ଅଲ ଇଂଲଣ୍ଡ ଟାଇଟେଲ ଜିତିଥିବା ମହମ୍ମଦ ହାଫିଜ ହାଶିମଙ୍କ ସହ ପ୍ରଶିକ୍ଷଣ କରିବେ । ଏନେଇ ସିନ୍ଧୁ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରିନାହାନ୍ତି ।
କୋଚ୍ ପାର୍କ ତାଏ-ସେଙ୍ଗ ସୋସିଆଲ ମିଡିଆରେ ବୟାନ ଦେଇ କହିଛନ୍ତି ଯେ, ସିନ୍ଧୁ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ସେ ନୂଆ କୋଚ୍ ଖୋଜିବାକୁ ନିଷ୍ପତ୍ତି ନେଇଛନ୍ତି । ସିନ୍ଧୁ ନିକଟରେ ସମସ୍ତ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଆଉ ଜଣେ କୋଚ ଭାବେ ମୁଁ ନିଜକୁ ଏଥିଲାଗି ଦାୟୀ ମନେ କରୁଛି । ୨୦୨୪ ପ୍ୟାରିସ ଅଲମ୍ପିକ ପର୍ଯ୍ୟନ୍ତ ସିନ୍ଧୁଙ୍କ ସହ ରହିନପାରିବାକୁ ନେଇ ମୁଁ ଦୁଃଖିତ । କିନ୍ତୁ ମୁଁ ତାଙ୍କୁ ଦୂରରୁ ସମର୍ଥନ କରିବି ।