ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ଚୀନ୍ ସୀମା ବ୍ୟାପାର ସମ୍ପର୍କିତ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମ କମିଟି (WMCC)ର ୨୬ତମ ବୈଠକ ଗତକାଲି (୨୨ ଫେବୃଆରୀ) ଚୀନ ରାଜଧାନୀ ବେଜିଂରେ ଅନୁଷ୍ଠିତ ହୋଇଛି । ଭାରତୀୟ ପ୍ରତିନିଧୀ ଦଳ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ-ଏସିଆ ବ୍ୟାପାର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଚୀନ୍ ପ୍ରତିନିଧୀ ଦଳ ସହ ଆଲୋଚନା କରିଛି । ସେହିପରି ଚୀନ୍ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ଚୀନ ବୈଦେଶିକ ମନ୍ତ୍ରଣାଳୟର ସୀମା ତଥା ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ନେଇଥିବା ସୂଚନା ମିଳିଛି ।
ଏହି ବୈଠକରେ ଉଭୟ ପକ୍ଷ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ପଶ୍ଚିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ବର୍ତ୍ତମାନ ସ୍ଥିତିର ସମୀକ୍ଷା କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । କିଛି ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ହୋଇସାରିଥିବା ବେଳେ ଏବେ ମଧ୍ୟ ପ୍ରକ୍ରିୟା ଜାରି ରହିଛି । ସେହିପରି ଅନ୍ୟ ତଥା ଅବଶିଷ୍ଟ ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ମଧ୍ୟ ଉଭୟ ରାଷ୍ଟ୍ର ସୈନ୍ୟ ପ୍ରତ୍ୟାହାର ଉପରେ ଆଲୋଚନା କରିଛନ୍ତି ।
ଏଲ୍ଏସିରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ୱାଭାବିକତା ଫେରାଇବା ପାଇଁ ଉଭୟ ପକ୍ଷ ଏକ ଗଠନମୂଳକ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ବର୍ତ୍ତମାନ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ ଉଭୟ ପକ୍ଷ ଏଥିରେ ସହମତ ହୋଇଥିଲେ । ସିନିୟର କମାଣ୍ଡରଙ୍କ ବୈଠକର ପରବର୍ତ୍ତୀ ରାଉଣ୍ଡ (୧୮ ତମ) ମଧ୍ୟ ଖୁବ ଶୀଘ୍ର ଆୟୋଜନ ହେବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଶାନ୍ତି ଫେରାଇବା ପାଇଁ ସାମରିକ ଏବଂ କୂଟନୈତିକ ପ୍ରଣାଳୀରେ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିବା ସୂଚନା ମିଳିଛି ।