ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟବାସୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରିବାରେ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ପ୍ରଥମେ ଶିକ୍ଷାନୁଷ୍ଠାନ ଆଉ ଏବେ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ୫-ଟି ଢାଞ୍ଚାରେ ରୂପାନ୍ତରିତ କରିବାକୁ ଗୁରୁତ୍ୱ ଦେଇଛନ୍ତି । ଏହି କ୍ରମରେ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ରୂପାନ୍ତରଣ ହେବ ରାଜ୍ୟର ୧୪୭ ହସ୍ପିଟାଲ । ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ନିର୍ଘଣ୍ଟ ସମୟରେ ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରୂପାନ୍ତରଣ କାର୍ଯ୍ୟକୁ ତଦାରଖ କରୁଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ଶାଳିନୀ ପଣ୍ଡିତ ।
ରାଜ୍ୟରେ ଗୂଣାତ୍ମକ ସ୍ୱାସ୍ଥ୍ୟ ସେବାର ସଂପ୍ରସାରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟରେ ୩୦ ଟି ଜିଲ୍ଲାର ୧୪୭ ଟି ହସ୍ପିଟାଲକୁ ଆମ ହସ୍ପିଟାଲ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ବରଗଡରେ ୫, ଝାରସୁଗୁଡାରେ ୨, ସୁନ୍ଦରଗଡରେ ୭, ସମ୍ବଲପୁରରେ ୪, ଦେଓଗଡ଼ ଗୋଟେ, କେନ୍ଦୁଝରରେ ୬, ମୟୁରଭଞ୍ଜରେ ୯, ବାଲେଶ୍ଵରରେ ୮, ଭଦ୍ରକରେ ୫, ଯାଜପୁରରେ ୭, ଢେଙ୍କାନାଳରେ ୪, ଅନୁଗୁଳରେ ୫, ସୋନପୁରରେ ୨, ବଲାଙ୍ଗୀରରେ ୫, ନୂଆପଡାରେ ୨, ନବରଙ୍ଗପୁର ୪, କଳାହାଣ୍ଡିରେ ୫, ବୌଦ୍ଧରେ ୨, କଟକରେ ୯, କେନ୍ଦ୍ରାପଡାରେ 5, ଜଗତସିଂହପୁରରେ ୪, ପୁରୀରେ ୬, ଖୋର୍ଦ୍ଧାରେ ୮, ନୟାଗଡ଼ରେ ୪, ଗଞ୍ଜାମରେ ୧୩, ଗଜପତିରେ ୨, ରାୟଗଡାରେ ୩, କୋରାପୁଟରେ ୫ ଓ ମାଲକାନଗିରିରେ ୨ ଟି ଚିହ୍ନଟ ହୋଇଛି ।