ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଏବଂ ମିଶନ ଶକ୍ତି ନୂତନ କୋଠା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମିଶନ ଶକ୍ତି ଗୃହ ହେବାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ସ୍ୱାବଲମ୍ବୀ ହେବା ସକାଶେ ମହାସଂଘ ପକ୍ଷରୁ ବିଭିନ୍ନ ପ୍ରକାର ତାଲିମ, ମିଟିଂ, ଅଫିସ କାର୍ଯ୍ୟଗୁଡ଼ିକର ସମୀକ୍ଷା ସହ ଉତ୍ପାଦିତ ଏବଂ ତିଆରି କରିବା ଜିନିଷର ବିକ୍ରିବଟା ବ୍ୟବସ୍ଥା କରାଯିବ ବୋଲି ସୁଧୀର କୁମାର ଦାସ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣୁପୁର ଏସଡିପିଓ ବିକାଶ ବେହୁରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜାଜ୍ଞସେନି ବେହେରା, ଡେପୁଟି କଲେକ୍ଟର ଅନ୍ୱେଷା ଦାଶ ଓ ଥାନାଧିକାରୀ ସୁଶ୍ରୀ ସୁନିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାମନାଗୁଡ଼ା ଥାନାଧିକାରୀ ସୁଶ୍ରୀ ବେହେରା ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।