ବରଗଡ଼,ଏନ୍ଏନ୍ଏସ୍: ଆଜି (ରବିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତ କରିବେ । ପଦ୍ମପୁର ଉପନିର୍ବାଚନ ପରେ ଏହା ମୁଖ୍ୟମନ୍ତ୍ରୀ ପ୍ରଥମ ବରଗଡ ଗସ୍ତ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତକୁ ନେଇ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ 5 ଜଣ ଅତିରିକ୍ତ ଏସପି, ୧୬ ଜଣ ଡ଼ିଏସପି, ୩୨ ଜଣ ଇନେସ୍ପେକ୍ଟର, ୧୦୦ ଏସ୍ଆଇ ଏବଂ ଏଏସ୍ଆଇଙ୍କୁ ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିବେ ।
ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ଏହି ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ । ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପଖଣ୍ଡର ଝାରବନ୍ଧ, ପାଇକମାଳ ଏବଂ ଗାଇସିଲେଟ ବ୍ଲକରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହାସହିତ ବିଭିନ୍ନ ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଝାରବନ୍ଦ, ପାଇକମାଳ ଓ ପଦ୍ମପୁରରେ ୩ଟି ସମାବେଶ ଆୟୋଜିତ ହେବ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସହାୟତା ରାଶି ବଣ୍ଟନ କରାଯିବ । ଏହାସହିତ କିଛି ବଡ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।
ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ପୂର୍ବାହ୍ନ ୧୧ଟାରେ ପଦ୍ମପୁର ସତୀଭଟ୍ଟା ଏୟାରଷ୍ଟ୍ରିପରେ ଅବତରଣ ପରେ ଝାରବନ୍ଧ ବ୍ଲକ ଗସ୍ତ କରିବେ ନବୀନ ପଟ୍ଟନାୟକ । ପରେ ଅପରାହ୍ନ ୧୨ଟା ୩୦ରେ ପାଇକମାଳ ଓ ଅପରାହ୍ନ ୩ଟା ୫୫ରେ ପଦ୍ମପୁରରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ବରଗଡବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ରାଶି ବଣ୍ଟନ କରିବେ ।