ଦେବଗଡ଼,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ପ୍ରତିବାଦରେ ଆଜି ଦେବଗଡ଼ ଜିଲ୍ଲାର ସମସ୍ତ ୩ଟି ବ୍ଲକ ସମେତ ଜିଲ୍ଲା ମୁଖ୍ୟାଳୟରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ପ୍ରଥମେ ଗରିବଙ୍କ ଚାଉଳ ବନ୍ଦ କଲେ ପରେ ଜାତୀୟ ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନାମିତ କରି ଗରିବ ଖାଉଟିଙ୍କୁ ଭ୍ରମିତ କରିବା ସହ ଗରିବଙ୍କ ପାଇଁ ୫ କେଜି ଚାଉଳ କାଟି ରାଜ୍ୟର ସାଢ଼େ ୩ କୋଟି ଅନ୍ନଦାତାଙ୍କ ଥାଳିରୁ ଭାତ ଛଡ଼ାଇଥିବା ବିଜେପି ସରକାର ବିରୁଦ୍ଧରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଛି । ଏଥିରେ ବ୍ଲକ ସଭାପତି ହୀରାଧର ସାହୁ, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ତିଳେଇବଣି ବ୍ଲକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭୂପେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ସାମଲ, ରିଆମାଳ ବ୍ଲକର ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଓ ଜିଲ୍ଲା ମୁଖାଳୟରେ ବିଜେଡି ଜିଲ୍ଲା ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କ ନେତୃତ୍ୱରେ ଶତାଧିକ ବିଜେଡି ଦଳୀୟ ପଦାଧିକାରୀ,କର୍ମୀ ଓ ଜନସାଧାରଣ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ।