ନବରଙ୍ଗପୁର ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜଳ ସେଚନ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୃଷକମାନେ ଆଧୁନିକ ପ୍ରଣାଳୀରେ କମ ପାଣିରେ ବିଭନ୍ନ ଚାଷ କାମ କରି କିପରି ଅଧିକ ଅମଳ କରିପାରିବେ ସେସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଓ ଉଠା ଜଳସେଚନ ବିଭାଗର ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଯୋଗଦେଇ ପାଣି ପଞ୍ଚାୟତ ପକ୍ଷ ପାଳନର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜିଲ୍ଲାର କୃଷକ ଭାଇମାନେ ଅଧିକ ସଚେତନ ହୋଇ ଆଧୁନିକ ପ୍ରଣାଳୀ ଆପଣାଇ କିପରି ପ୍ରତି ବୁନ୍ଦା ଜଳକୁ କୃଷି କାର୍ଯ୍ୟରେ ଲଗାଇ ଅଧିକ ଅମଳ କରି ଲାଭବାନ ହୋଇପାରିବେ ତା’ ଉପରେ ଆଲୋକପାତ କରିଥିଲେ । ଉଠା ଜଳସେଚନ ବିଭାଗର ଉପଦେଷ୍ଟା ଶ୍ରୀ ପାଢ଼ୀ ଜିଲ୍ଲାରେ କୃଷିର ଉନ୍ନତି ଓ ବିକାଶ ପାଇଁ ଆବଶ୍ୟକ ଜଳସେଚନର ସୁବିଧା କରାଯାଇ ଚାଷୀଭାଇମାନେ ଏହାଦ୍ୱାରା କିପରି ଉପକୃତ ହେବେ ସେ ଦିଗରେ ସରକାରଙ୍କ ତରଫରୁ ସମସ୍ତ ଚେଷ୍ଟା କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । ଏହି ଦିବସ ପାଳନ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବରେଣ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ ଜଳସେଚନ ବିଭାଜନ ପଦ୍ମ ଚରଣ ବେହେରା, ଅଧିକ୍ଷଣ ଯନ୍ତ୍ରୀ ଏମଆଇ କାଳିନ୍ଦୀ ଚରଣ ସେଠୀ, ସହନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଭାବଗ୍ରାହୀ ବେହେରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ସୁନିଲ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ରାଓ, ପିଡି ଆତ୍ମା କମଳ ଲୋଚନ ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କୃଷକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଜନ ଦିଲ୍ଲୀପ କୁମାର ଦାଶ ସଂଯୋଜନା କରିଥିଲେ ।