ଶ୍ରଦ୍ଧା ହତ୍ୟାକାଣ୍ଡ: ଶରୀର ଖଣ୍ଡକୁ ଗ୍ରାଇଣ୍ଡିଂ କରି ଗୁଣ୍ଡକୁ ସଡ଼କରେ ଫିଙ୍ଗିଥିଲା ଅଫତାବ

ନୂଆଦିଲ୍ଲୀ: ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ସ୍ୱୀକାରୋକ୍ତି ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ତରଫରୁ ଦାଖଲ କରାଯାଇଥିବା ଚାର୍ଜସିଟରେ ଅନେକ ଚକିତ କଲା ଭଳି ତଥ୍ୟ ଜଣାପଡ଼ିଛି । ଏଥିରେ ଶ୍ରଦ୍ଧାଙ୍କ ମୃତଦେହର ଖଣ୍ଡକୁ ଅଫତାବ କିପରି ନଷ୍ଟ କଲା ତାହା ଦର୍ଶାଯାଇଛି । ଶରୀର ଖଣ୍ଡକୁ ପ୍ରଥମେ ପେଟ୍ରୋଲ ପକାଇ ଜାଳିବା ପରେ ତାକୁ ଗ୍ରାଇଣ୍ଡିଂ କରି ଗୁଣ୍ଡକୁ ସଡ଼କରେ ଫିଙ୍ଗିଥିବା କଥା ଅଫତାବ କହିଛି ।

ଅଫତାବ ସ୍ୱୀକାରୋକ୍ତିରେ ଆହୁରି କହିଛି ଯେ, ଆମେ ଦୁହେଁ ସମ୍ପର୍କରେ ସୁଧାର ଆଣିବା ପାଇଁ ଏକ ଟ୍ରିପର ଯୋଜନା କରିଥିଲୁ । ଆମେ ଦୁହେଁ ୨୦୨୨ ମାର୍ଚ୍ଚ ୨୮ରେ ମୁମ୍ବାଇରୁ ବାହାରି ହରିଦ୍ୱାର ପହଞ୍ଚିଥିଲୁ । ପରେ ଋିଷିକେଷ, ଦେହରାଦୁନ, ମସୁରୀ ଓ ଚଣ୍ଡୀଗଡ଼ ବୁଲି ପାର୍ବତୀ ହ୍ରଦ ପହଞ୍ଚିଥିଲୁ । ସେଠାରେ ବମ୍ବଲ ଆପରେ ବନ୍ଧୁତା ହୋଇଥିବା ବଦ୍ରି ନାମକ ପିଲାକୁ ଭେଟିଲୁ । ସେ ଆମକୁ ଦିଲ୍ଲୀସ୍ଥିତ ଛତ୍ରପୁର ପାହାଡ଼ୀରେ ଥିବା ତା’ ଘର ଆସିବା ପାଇଁ କହିଥିଲା । ଆମେ ପାଖାପାଖି ମାସେରୁ ଦେଢ଼ ମାସ ବୁଲିବା ପରେ ଦିଲ୍ଲୀସ୍ଥିତ ବଦ୍ରି ଘରେ ମେ’ ୫ ତାରିଖରେ ପହଞ୍ଚିଥିଲୁ । ସେଠାରେ ଲଗାତାର ଭାବେ ଶ୍ରଦ୍ଧା ଓ ମୋର ଝଗଡ଼ା ହେଉଥିଲା । ସେଥିପାଇଁ ବଦ୍ରି ତା’ ଘରୁ ଚାଲିଯିବା ପାଇଁ ଆମକୁ କହିଥିଲା । ଏହାପରେ ୨ ଦିନ ଅନ୍ୟ ଏକ ସ୍ଥାନରେ ରହିବା ପରେ ମେ’ ୧୬ରେ ବ୍ରୋକର ରାହୁଲ ରୟ ଜରିଆରେ ଛତ୍ରପୁର ପାହାଡ଼ୀରେ ଘର ଭଡ଼ା ନେଇ ସାଥୀରେ ରହିଥିଲୁ ।

ଅଫତାବ ଆଗକୁ ଆହୁରି କହିଛି ଯେ, ସେହି ସମୟରେ ଆମ ଦୁହିଁଙ୍କର ଚାକିରି ନଥିଲା ଏବଂ ଅଧିକାଂଶ ଟଙ୍କା ଟ୍ରିପରେ ସରି ଯାଇଥିଲା । ଆମ ଦୁହିଁଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ସବୁବେଳେ ଝଗଡ଼ା ହେଉଥିଲା । ମେ’ ୧୮ ତାରିଖରେ ଆମେ ପୂର୍ବରୁ ରହୁଥିବା ବସଇସ୍ଥିତ ଭଡ଼ା ଘରୁ ଜିନିଷ ଆଣିବାକୁ ଶ୍ରଦ୍ଧା ମୋତେ କହିଲା । କିନ୍ତୁ ଦେହ ଭଲ ଲାଗୁନି ଦର୍ଶାଇ ମୁଁ ଯିବାକୁ ମନା କଲି । ଏଥିରେ ଶ୍ରଦ୍ଧା ରାଗିଯାଇ ଆମ ପାଖରେ ଖାଇବା ଜିନିଷ ନାହିଁ ସବୁଦିନ ବାହାର ଖାଦ୍ୟ ଖାଇ ଦେହ ଖରାପ ହେଉଛି ବୋଲି କହିଥିଲା । ସେହି ସମୟରେ ମୁଁ ତାକୁ ଖର୍ଚ୍ଚର ଅଧା ଟଙ୍କା ମାଗିଲି । ଫଳରେ ସେ ଭୀଷଣ ରାଗିବା ସହ ଗାଳି ଗୁଳଜ କରିବାକୁ ଲାଗିଲା । ସେଥିପାଇଁ ମୁଁ ତା’ ଝଗଡ଼ାରୁ ସବୁଦିନ ପାଇଁ ବଞ୍ଚିବାକୁ ମନସ୍ଥ କରିଥିଲି । ଶ୍ରଦ୍ଧାକୁ ଜୀବନରୁ ମାରିବା ପାଇଁ ପ୍ରଥମେ ତାକୁ ଘୋଷାଡ଼ି ଆଣି ତଳେ ପକାଇଦେଲି ଏବଂ ତା’ ଛାତି ଉପରେ ବସି ଗଳାକୁ ଦୁଇ ହାତରେ ଜୋରରେ ଯାବୁଡ଼ି ଧରିଥିଲି । ସେ ନ ମରିବା ପର୍ଯ୍ୟନ୍ତ ମୁଁ ତା’ ଗଳାକୁ ଯାବୁଡ଼ି ଧରିଥିଲି ।