ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ଡବେରୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକଦ୍ୱୟ ହେଲେ ପ୍ଳିହେରି ପଞ୍ଚାୟତର ବାଳକୃଷ୍ଣ ମଲିକ(୨୦) ଓ ଯୁଗାନ୍ତ ପ୍ରଧାନ(୨୦) । ଆଉ ଆହତ ଜଣକ ହେଲେ ମନିଲ ପ୍ରଧାନ(୧୭) । ଏନେଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ ସୂଚନା ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଦାରିଙ୍ଗବାଡ଼ି ପଟୁ ସୋରଡ଼ା ଅଭିମୁଖେ ଏକ କାର ଯାଉଥିବାବେଳେ ବାଇକ ଚାଳକ ଭାରସାମ୍ୟ ହରାଇ ଏକ ଅଟୋକୁ ପ୍ରଥମେ ଧକ୍କା ଦେବା ପରେ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଚିତ୍ତରଞ୍ଜନ ମହାନ୍ତି, ସୁନୀଲ ଜାନି, ପାଣ୍ଡବ ମହାରଣା, ଲକ୍ଷ୍ମଣ ବାରିକ ଓ ବାପୁନା ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବାଇକରେ ଥିବା ୩ ଗୁରୁତରଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚାଇଥିଲେ । ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପୁଲିସ ଏନେଇ ମାମଲା ରୁଜୁ କରିବା ସହ ୨ଟି ମୃତଦେହ ଜବତ କରିଛି । ଏଥିସହିତ ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ କାରକୁ ମଧ୍ୟ ଜବତ କରି ତଦନ୍ତ ଅବ୍ୟାହତ ରଖିଛି ।