ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ବଜେଟ୍ରେ କୃଷି ବାବଦକୁ ୧.୧୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗତବର୍ଷ ତୁଳନାରେ ଏହା ସାମାନ୍ୟ (୪.୬%) ବୃଦ୍ଧି ପାଇଛି । ଚଳିତ ବଜେଟ୍ରେ ସରକାର କିଶାନ୍ କ୍ରେଡିଟ୍ କାର୍ଡ (କେସିସି) ସୀମା ୨୦ ଲକ୍ଷ କୋଟି ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଏହା ୧୮.୫୦ ଲକ୍ଷ କୋଟି ଥିଲା । ଅର୍ଥାତ୍ ଚଳିତ ଥର ଦେଢ଼ଲକ୍ଷ କୋଟି ଟଙ୍କା ବୃଦ୍ଧି କରାଇଛି । ଏହା ବ୍ୟତୀତ ଅର୍ଥ ମନ୍ତ୍ରୀ ଆଉ ଦୁଇଟି ଘୋଷଣା କରିଛନ୍ତି । ପ୍ରଥମଟି ହେଲା ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଫର୍ ଏଗ୍ରୀକଲ୍ଚର୍ । ଏହି ଓପନ୍ ସୋର୍ସରୁ କୃଷକଙ୍କୁ ସାର, ମଞ୍ଜିଠାରୁ ନେଇ ମାର୍କେଟ୍ ଏବଂ ଷ୍ଟାର୍ଟଅପ୍ସର ସୂଚନା ମିଳିପାରିବ । ଦ୍ୱିତୀୟଟି ହେଉଛି ଅଗ୍ରୀକଲ୍ଚର୍ ଆକ୍ସିଲେଟର ଫଣ୍ଡ୍ । ଏହା ଦ୍ୱାରା ଗ୍ରାମୀଣ ଯୁବକଙ୍କୁ ଷ୍ଟାର୍ଟଅପ୍ ଆରମ୍ଭ କରିବା ସୁଯୋଗ ମିଳିବ । ଏହା ବ୍ୟତୀତ ଚଳିତ ବଜେଟ୍ରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନା ବାବଦକୁ ୬ ହଜାର କୋଟି ଟଙ୍କାର ଘୋଷଣା କରାଯାଇଛି । ଯଅ ଭଳି ଖାଦ୍ୟଶସ୍ୟକୁ ପ୍ରୋତ୍ସାହନ ପାଇଁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ଗଠନ କରାଯିବ ବୋଲି ବଜେଟ୍ରେ ପ୍ରସ୍ତାବ ରଖାଯାଇଛି । ସେହିପରି ଉଦ୍ୟାନ ଉତ୍ପାଦନ ବୃଦ୍ଧି ପାଇଁ ୨,୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଆଗାମୀ ୩ ବର୍ଷ ମଧ୍ୟରେ ଏକ କୋଟି କୃଷକଙ୍କୁ ପ୍ରାକୃତିକ କୃଷି ପାଇଁ ପ୍ରୋତ୍ସାହିତ କରାଯିବା ଯୋଜନା ରହିଛି । ଏଥିପାଇଁ ୧୦ ହଜାର ବାୟୋ ଇନ୍ପୁଟ୍ ରିସର୍ଚ୍ଚ ସେଣ୍ଟର୍ ସ୍ଥାପନ କରାଯିବ । ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରଶିପ୍ (ପିପିପି) ମଡେଲ୍ରେ କପାଚାଷକୁ ବୃଦ୍ଧି କରାଯିବା ଯୋଜନା ମଧ୍ୟ ରହିଛି । କୃଷକଙ୍କ ପାଇଁ ସହକାରରୁ ସମୃଦ୍ଧି କାର୍ଯ୍ୟକ୍ରମ ଚଳାଯିବ । ଏହା ଜରିଆରେ ୬୩ ହଜାର ଏଗ୍ରୀ ସୋସାଇଟିକୁ କମ୍ପ୍ୟୁଟରାଇଜ୍ଡ କରାଯିବ । ଏହା ସହିତ ଅର୍ଥମନ୍ତ୍ରୀ ସୀତାରମଣ ଗୋବର୍ଦ୍ଧନ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧୀନରେ ପାଞ୍ଚଶହ ନୂଆ ‘ୱେଷ୍ଟ୍ ଟୁ ୱେଲଥ‘ ପ୍ଲାଣ୍ଟ୍ ନିର୍ମାଣ କରାଯିବ ।