ନୂଆଦିଲ୍ଲୀ,ଏଜେନ୍ସି: ମୋଦୀ ସରକାର ୨୦୨୩-୨୪ ବଜେଟ୍ରେ ରେଳବାଇ ପାଇଁ କେତେକ ବଡ଼ ଘୋଷଣା କରିଛନ୍ତି । ରେଳବାଇ ପାଇଁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ବଜେଟ୍ରେ ୨.୪୦ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଗତବର୍ଷ ତୁଳନାରେ ଏହା ୧.୦୩ ଲକ୍ଷ କୋଟି ଟଙ୍କା ଅଧିକ ହୋଇଥିବା ବେଳେ ୨୦୧୩-୧୪ ବଜେଟ୍ର ନଅଗୁଣ ବୋଲି ସେ କହିଛନ୍ତି । ଘୋଷଣା ଅନୁସାରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରିବ ଏବଂ ଏହାର ଡିଜାଇନ୍ ଓ ନିର୍ମାଣ ଭାରତରେ କରାଯିବ । ହାଇଡ୍ରୋଜେନ୍ ଟ୍ରେନ୍ ପ୍ରଥମେ କାଲ୍କା-ସିମ୍ଳା ପରି ହେରିଟେଜ୍ ସର୍କିଟ୍ରେ ଚଳାଚଳ କରିବ । ସେହିପରି ସୋନିପତ, ଲାଟୁର୍ ଏବଂ ରାୟବରେଲିରେ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ହେବ । ଅର୍ଥ ମନ୍ତ୍ରୀ କହିଛନ୍ତି, ଦୀର୍ଘବର୍ଷ ଧରି ରେଳବାଇକୁ ଯେଉଁ ପୁଞ୍ଜି ନିବେଶର ଆବଶ୍ୟକତା ଥିଲା, ତାହା ଚଳିତ ବଜେଟ୍ରେ ବିଭାଗକୁ ମିଳିବ । ଫଳରେ ଯାତ୍ରୀଙ୍କ ପାଇଁ ସୁବିଧାରେ ବୃଦ୍ଧି ଘଟିବ ।
ଅମୃତ ଭାରତ ସ୍କିମ୍ରେ କେତେକ ବଡ଼ ବଡ଼ ଷ୍ଟେସନ୍ ସହିତ ମୋଟ ୧୨୭୫ ଷ୍ଟେସନ୍ର ପୁନଃବିକାଶ କରାଯିବ । ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ହମ୍ସଫର୍ ଏବଂ ଜେତସ୍ ପରି ପ୍ରମୁଖ ଟ୍ରେନ୍ର ଏକ ହଜାରରୁ ଊର୍ଦ୍ଧ୍ୱ କୋଚ୍ର ନବୀକରଣ ଯୋଜନା ଚଳିତ ବଜେଟ୍ରେ ରଖାଯାଇଛି । ଏହି କୋଚ୍ଗୁଡ଼ିକର ଆଭ୍ୟନ୍ତରୀଣ ଅଂଶର ଆଧୁନିକୀକରଣ କରାଯିବ ଏବଂ ଯାତ୍ରୀଙ୍କ ଆରାମ ହିସାବରେ ଏଥିରେ ସୁଧାର କରାଯିବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଆଉ ୧୦୦ ବିଷ୍ଟାଡୋମ୍ କୋଚ୍ ନିର୍ମାଣ କରାଯିବ ।
ବଜେଟ୍ରେ ହାଇଡ୍ରୋଜେନ୍ ଇନ୍ଧନ ଆଧାରିତ ୩୫ ଟ୍ରେନ୍, ସାଇଡ୍ ଏଣ୍ଟ୍ରି ସହିତ ୪୫୦୦ ନୂଆ ଡିଜାଇନ୍ର ଅଟୋମୋବାଇଲ୍ ବାହକ କୋଚ୍, ୫ ହଜାର ଏଲ୍ଏଚ୍ବି କୋଚ୍ ଏବଂ ୫୮ ହଜାର ୱାଗନ୍ ନିର୍ମାଣ ପ୍ରସ୍ତାବ ରହିଛି । ଚଳିତ ବଜେଟ୍ରେ ରେଳବାଇର ସକଳ ରାଜସ୍ୱ ବ୍ୟୟ ୨,୬୫,୦୦୦ କୋଟି ରହିଛି । ସେହିପରି ପୁଞ୍ଜିଗତ ବ୍ୟୟ ପାଇଁ ବିଭାଗକୁ ୨,୬୦,୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ମଧ୍ୟରୁ ୨,୪୦,୦୦୦ କୋଟି ସାମାନ୍ୟ ରାଜସ୍ୱରୁ, ୨୦୦ କୋଟି ନିର୍ଭୟା ଫଣ୍ଡ୍ରୁ, ୩୦୦୦ କୋଟି ଆଭ୍ୟନ୍ତରୀଣ ସଂସାଧନରୁ ଏବଂ ୧୭ ହଜାର କୋଟି ଟଙ୍କା ଆଭ୍ୟନ୍ତରୀଣ ଏବଂ ଅତିରିକ୍ତ ବଜେଟ୍ ସଂସାଧନରୁ ସଂଗ୍ରହ କରାଯାଇଛି ।