ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ଆଗାମୀ ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ଶିକ୍ଷା କ୍ଷେତ୍ର ପାଇଁ ରେକର୍ଡ ୧.୧୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଗତବର୍ଷ (୨୦୨୨-୨୩) ତୁଳନାରେ ୮.୩% ଅଧିକ । ଏହା ମଧ୍ୟରୁ ୬୮,୮୦୪.୮୫ କୋଟି ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପାଇଁ ଏବଂ ୪୪,୦୯୪.୬୨ କୋଟି ଉଚ୍ଚଶିକ୍ଷା ବିଭାଗ ପାଇଁ ଆବଣ୍ଟିତ କରାଯାଇଛି । ଗତବର୍ଷ ଶିକ୍ଷା କ୍ଷେତ୍ର ପାଇଁ ବଜେଟ୍ରେ ୧.୦୪ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା । ଚଳିତ ବଜେଟ୍ରେ ସାଢ଼େ ୩ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୭୪୦ ଏକଲବ୍ୟ ମଡେଲ୍ ରେସିଡେନ୍ସିଆଲ୍ ସ୍କୁଲ୍ରେ ୩୮,୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତି ପାଇବାର ପ୍ରସ୍ତାବ ରହିଛି । ସେହିପରି ୧୫୭ ନୂଆ ନର୍ସିଂ କଲେଜ ଖୋଲାଯିବ । ଇଞ୍ଜିନିୟରିଂ ସଂସ୍ଥାନରେ ୫-ଜି ସେବା ଉପରେ ଆଧାରିତ ୧୦୦ ଲାଇବ୍ରେରୀ ନିର୍ମାଣ କରାଯିବ । ୪୭ ଲକ୍ଷ ଯୁବକଙ୍କୁ ଜାତୀୟ ପ୍ରଶିକ୍ଷୁତା ପ୍ରୋତ୍ସାହନ ଯୋଜନାରେ ୩ ବର୍ଷ ପର୍ଯ୍ୟନ୍ତ ଭତ୍ତା ପ୍ରଦାନ କରାଯିବ ।
ଯୁବକଙ୍କୁ ଗ୍ଲୋବାଲ୍ ଲେଭଲ୍ ଟ୍ରେନିଂ ଯୋଗାଇଦେବା ପାଇଁ ୩୦ ସ୍କିଲ୍ ଇଣ୍ଡିଆ ଇଣ୍ଟରନାସ୍ନାଲ୍ ସେଣ୍ଟର୍ ଖୋଲାଯିବ । ଇନୋଭେସନ୍ ଏବଂ ରିସର୍ଚ୍ଚ ପାଇଁ ନୂଆ ନାସ୍ନାଲ୍ ଡାଟାବେସ୍ ପଲିସି ଗଠନ କରାଯିବ । ଏହାର ଲାଭ ଷ୍ଟାର୍ଟଅପ୍ ଏବଂ ଏଜୁକେସନ୍ରେ ମିଳିବ । ଶିକ୍ଷକଙ୍କୁ ଟ୍ରେନିଂ ପାଇଁ ଏକ୍ସଲେନ୍ସ ଇନ୍ଷ୍ଟିଚ୍ୟୁଟ୍, ଶିଶୁ ଏବଂ ଛାତ୍ରଙ୍କ ପାଇଁ ନାସ୍ନାଲ୍ ଡିଜିଟାଲ୍ ଲାଇବ୍ରେରୀ ଗଠନ କରାଯିବ । ୨୦୨୩-୨୪ରେ ସରକାର ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ୍ ଖୋଲିବେ ଏବଂ ଏଥିପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି । ସେହିପରି ଆର୍ଥିକ ସାକ୍ଷରତା ପାଇଁ ସରକାର ଏନ୍ଜିଓଙ୍କ ସହିତ ମିଶି କାର୍ଯ୍ୟ କରିବେ । ଆସନ୍ତା ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୪.୦ର ପ୍ରାରମ୍ଭ କରାଯିବ ।