ରେଡକ୍ରସ ପାଣ୍ଠି ବୃଦ୍ଧି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାସ୍ତରୀୟ ରେଡକ୍ରସ ସାଧାରଣ ବୈଠକ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଭାରତୀୟ ରେଡ଼କ୍ରସ ସୋସାଇଟି ଜିଲ୍ଲା ଶାଖା ଅଧ୍ୟକ୍ଷ ଡା. କମଳ ଲୋଚନ ମିଶ୍ରଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସଭ୍ୟଙ୍କୁ ଡା. ମିଶ୍ର ସ୍ୱାଗତ ଜଣାଇ ରେଡକ୍ରସର ମୌଳିକ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଦୁଃଖୀ ଓ ଅଭାବୀଙ୍କ ସେବାରେ ବ୍ୟବହୃତ ହେଉଥିବା ରେଡକ୍ରସ ପାଣ୍ଠିକୁ ଅକୁଣ୍ଠ ଚିତ୍ତ ସହ ମୁକ୍ତ ହସ୍ତରେ ଦାନ କରିବା ପାଇଁ ଜିଲ୍ଲାପାଳ ଡା. ମିଶ୍ର ନିବେଦନ କରିଥିଲେ । ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାରେ ରେଡକ୍ରସ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ରେଡକ୍ରସ ପାଣ୍ଠିର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ପାଣ୍ଠି ଠିକ ସମୟରେ ଜିଲ୍ଲା ଜରୁରୀକାଳୀନ ବିଭାଗରେ ପୈଠ କରିବା ପାଇଁ ଏହାସହ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିପିକା ବାରୋଇ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ ତ୍ରିପାଠୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଳ, ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା, ଚନ୍ଦନା ପଣ୍ଡା, ଆଦିତ୍ୟ ବିକ୍ରମ ତ୍ରିପାଠୀ, ତ୍ରିପତି ବାଲାଜୀ ସାହୁ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଶିଶୁ ବିକାଶ ଅଧିକାରୀ ବ୍ୟତୀତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ଦ୍ୱିତୀୟତଃ ଗୃହରେ ୨୦୨୧-୨୨ ମସିହାର ଆୟ ଓ ବ୍ୟୟର ହିସାବ ଉପସ୍ଥାପନ କରାଯାଇ ସର୍ବସମ୍ମତିକ୍ରମେ ଗୃହରେ ପାରିତ ହୋଇଥିଲା । କିଛି ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଓ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀମାନେ ଆଶାନୁରୂପ ପାଣ୍ଠି ଆଦାୟ କରିଥିବାରୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ ।