ଆଜି ଏନ୍‌ସିସି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦିଲ୍ଲୀର କାରିଅପ୍ପା ପରେଡ ଗ୍ରାଉଣ୍ଡରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି)ର ଏକ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରଯାଇଥିଲା । ଚଳିତ ବର୍ଷ ଏନସିସି ତାର ୭୫ତମ ବର୍ଷ ପାଳନ କରୁଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏନସିସି ସ୍ଥାପନର ସଫଳ ୭୫ ବର୍ଷ ଉପଲକ୍ଷେ ଏକ ସ୍ୱତନ୍ତ୍ର ଡେ କଭର ଓ ୭୫ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସ୍ମାରକ ମୁଦ୍ରା ଜାରି କରିବେ ।

ରାଲି ଦିନ ଓ ରାତିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ଏଥିରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ବିଷୟବସ୍ତକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ‘ବସୁଧୈବ କୁଟୁମ୍ବକମ’ର ପ୍ରକୃତ ଭାରତୀୟ ଭାବନା ଅନୁରୂପ ୧୯ଟି ବିଦେଶୀ ରାଷ୍ଟ୍ରରୁ ୧୯୬ ଅଧିକାରୀ ଓ କ୍ୟାଡେଟଙ୍କୁ ଏହି ସମାରୋହରେ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଛି ।

ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ ଓ ଜାତୀୟ ସେବା ଯୋଜନା ର ସ୍ବଚ୍ଛେସେବୀଙ୍କ ସହ ବାର୍ତ୍ତାଳାପ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବାର୍ତ୍ତାଳାପର ନାମ ରଖାଯାଇଥିଲା ‘‘ଯୁବା ସମ୍ବାଦ’’। ଯୁବପିଢି ଦେଶର ଆକାଂକ୍ଷାକୁ ପ୍ରତିଫଳିତ କରନ୍ତି । ଦେଶର ଆଶା ଆକାଂକ୍ଷା ଓ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଉତ୍ତର ଦାୟିତ୍ବ ସେମାନଙ୍କ କାନ୍ଧରେ ରହିଛି ବୋଲି କହିଥିଲେ ମୋଦି ।