ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଲେ ଜୋକୋଭିକ୍‌, ଫାଇନାଲ୍‌ରେ ସିସିପାସ୍‌ଙ୍କୁ ପରାସ୍ତ କଲେ

ମେଲ୍‌ବର୍ଣ୍ଣ,ଏଜେନ୍ସି: ସର୍ବିୟା ତାରକା ନୋଭାକ୍‌ ଜୋକୋଭିକ୍‌ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକ ବିଜେତା ହୋଇଛନ୍ତି। ରବିବାର ଫାଇନାଲ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜୋକୋଭିକ୍‌ ସିଧାସଳଖ ‌ସେଟ୍‌ ୬-୩, ୭-୬ ଓ ୭-୬ରେ ତୃତୀୟ ମାନ୍ୟତାପ୍ରାପ୍ତ ଗ୍ରିସ୍‌ ତାରକା ଷ୍ଟିଫାନୋସ୍‌ ସିସିପାସ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ୍‌କୁ ସହଜରେ ଜିତି ନେଇଥିଲେ ମଧ୍ୟ ପରବର୍ତୀ ଦୁଇ ସେଟ୍‌ରେ ଜୋକୋଭିକ୍‌ଙ୍କୁ କଡ଼ା ଟକ୍କର ଦେଇଥିଲେ ସିସିପା‌ସ୍‌। ତେବେ ମାନ୍ୟତାରେ ସିସିପାସ୍‌ଙ୍କଠୁ ତଳେ ରହିଥିଲେ ମଧ୍ୟ ଅଭିଜ୍ଞତାର ଫାଇଦା ଉଠାଇ ଜୋକୋଭିକ୍‌ ଦ୍ବିତୀୟ ଓ ତୃତୀୟ ସେଟ୍‌କୁ ଟାଇବ୍ରେକର୍‌ରେ ଜିତି ଟ୍ରଫି ହାତଛଡ଼ା କରିନଥିଲେ। ରବିବାରର ଏହି ମୁକାବିଲା ମଧ୍ୟ ୨୦୨୧ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ୍‌ର ପୁନରାବୃତ୍ତି ଥିଲା। ଏପରିକି ସେହି ଫାଇନାଲ୍‌ ଲଢ଼େଇକୁ ପୁଣି ଥରେ ମନେ ପକାଇଦେଇଥିଲା। ରଡ୍‌ ଲାଭର ଏରେନାରେ ୨୦୨୧ ଫ୍ରେଞ୍ଚ୍‌ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ରେ ମଧ୍ୟ ଏହି ଦୁଇ ତାରକା ମୁହାଁମୁହିଁ ହୋଇଥିଲେ।

ସିସିପାସ୍‌ଙ୍କ ବିପକ୍ଷ ସେହି ଲଢ଼େଇକୁ ମଧ୍ୟ ଜୋକୋଭିକ୍‌ ୬-୩, ୭-୬ ଓ ୭-୬ ସେଟ୍‌ରେ ଜିତି ବିଶ୍ବ ମାନ୍ୟତାର ଏମକ ନମ୍ବର ଆସନ ଫେରିପାଇଥିଲେ। ଫଳରେ ୨୦୨୧ରେ ମଧ୍ୟ ସିସିପାସ୍‌ଙ୍କୁ ପ୍ରଥମ ଥର ପାଇଁ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାରୁ ବିରତ ରଖିଥିଲେ। ଯାହାକି ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ପୁଣି ଥରେ ସିସିପାସ୍‌ଙ୍କ ଆଶା ଧୂଳିସାତ୍‌ କରିଦେଇଥିଲେ। ସଂଯୋଗବଶତଃ ୨୦୨୧ ଫ୍ରେଞ୍ଚ୍‌ ଓପନ୍‌ ଏବଂ ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ର ସ୍କୋର୍‌ ଲାଇନ୍‌ ସମାନ ରହିଛି। ଏଥି ସହିତ ଜୋକୋଭିକ୍‌ ମେଲ୍‌ବର୍ଣ୍ଣ ପାର୍କରେ ତାଙ୍କ ରାଜୁତି ଜାରି ରଖି ଦଶମ ଥର ପାଇଁ ଟ୍ରଫି ଜିତିନେଇଛନ୍ତି। ଆଉ ଏହି ଟ୍ରଫି ଜିତି ଜୋକୋଭିକ୍‌ ମଧ୍ୟ ସର୍ବାଧିକ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବାରେ ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କ ୨୯ ସଂଖ୍ୟାର ସମକକ୍ଷ ହୋଇଯାଇଛନ୍ତି। ରବିବାର ଟ୍ରଫି ଜିତିବା ପରେ ୩୫ ବର୍ଷ ବୟସ୍କ ଜୋକୋଭିକ୍‌ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ମ୍ୟାଚ୍‌ ଜିତିନେବା ପରେ ସେ ଆଖିରୁ ଲୁହ ପୋଛିବାର ଭାବବିହ୍ବଳ ମୁହୂର୍ତ୍ତ କ୍ୟାମେରାରେ କଏଦ ହେଇେଯାଇଥିଲା। ଏବେ ଉଭୟ ନାଦାଲ ଓ ଜୋକୋଭିକ୍‌ ୨୨ ଲେଖାଏଁ ଗ୍ରାଣ୍ଡ୍‌ ଟ୍ରଫି କରାୟତ୍ତ କରି ଯୁଗ୍ମ ଭାବେ ଶୀର୍ଷରେ ରହିଥିଲା ବେ‌ଳେ ସେମାନଙ୍କ ପଛକୁ ସ୍ବିଜରଲାଣ୍ଡ୍‌ ତାରକା ରୋଜର ଫେଡେରର୍‌ (୨୦), ଆମେରିକାର ପିଟ୍‌ ସାମ୍ପ୍ରାସ୍‌ (୧୪) ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଜୋକୋଭିକ୍‌ଙ୍କ ନିକଟରୁ ହାରିଯିବା ପରେ ଉପବିଜେତାରେ ସନ୍ତୁଷ୍ଟ ରହିଥିବା ସିସିପାସ୍‌ଙ୍କର ପ୍ରଥମ ଗ୍ରିସ୍‌ ଖେଳାଳି ଭାବେ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଜିତିବା ଆଶା ଧୂଳିସାତ୍‌ ହୋଇଯାଇଛି।

‌ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ପୁରୁଷ ଯୁଗଳରେ ଅଷ୍ଟ୍ରେଲୀୟ ଯୋଡ଼ି ଜାସନ କୁବଲର ଓ ରିଙ୍କି ହିଜିକାତା ଏବଂ ମହିଳା ଯୁଗଳରେ ଚେକ୍‌ଗଣରାଜ୍ୟ ଯୋଡ଼ି ବାର୍ବୋରା କ୍ରେସିକୋଭା ଓ କାତେରିନା ସିନିଆକୋଭା ବିଜେତା ‌‌ହୋଇଛନ୍ତି। ପୁରୁଷ ଯୁଗଳ ଫାଇନାଲ୍‌ରେ ସ୍ଥାନୀୟ ଯୋଡ଼ି କୁବଲର ଓ ହିଜିକାତା ୬-୪, ୭-୬ ସେଟ୍‌ରେ ଫ୍ରାନ୍ସ ଯୋଡ଼ି ହୁଗୋ ନିଜ୍‌ ଓ ଜାଲ୍‌ ଜେଲିନ୍‌ସ୍କିଙ୍କୁ ପରାସ୍ତ କରିଥିଲେ। ଏଥିସହ ଅଣମାନ୍ୟତାପ୍ରାପ୍ତ ଯୋଡ଼ି ଭାବେ ଜାସନ କୁବଲର ଓ ରିଙ୍କି ହିଜିକାତା ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବାର ଗୌରବ ପାଇଥିଲେ। ମହିଳା ଏକକରେ ଚେକ୍‌ ଯୋଡ଼ି କ୍ରେସିକୋଭା ଓ ସିନିଆକୋଭା ୬-୪, ୬-୩ ସେଟ୍‌ରେ ଜାପାନ୍‌ର ସୁକୋ ଆ‌ଓୟାମା ଓ ଇନା ସିବାହାରାଙ୍କୁ ହରାଇଥିଲେ। ଚେକ୍‌ ଯୋଡ଼ିଙ୍କ ଏହା ସପ୍ତମ ଗ୍ରାଣ୍ଡସ୍ଲାମ୍‌ ମୁକୁଟ। ଗତ ବର୍ଷ ଏହି ଯୋଡ଼ି ଅଷ୍ଟ୍ରେଲିଆନ୍‌ ଓପନ୍‌, ୱିମ୍ବଲଡନ୍‌ ଓ ୟୁଏସ୍‌ ଓପନ୍‌ ଜିତିଥିଲେ।