ପ୍ରଥମ ଟି-୨୦ରେ ଭାରତ ପରାସ୍ତ, ୨୧ ରନ୍‌ରେ ଜିତିଲା ନ୍ୟୁଜିଲାଣ୍ଡ୍‌

ରାଞ୍ଚି,ଏଜେନ୍ସି: ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଭାରତ ୨୧ ରନ୍‌ରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଁ ଦଳ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିବା ପରେ ଭ୍ରମଣକାରୀ ଦଳ ୨୦ ଓଭର୍‌ରେ ୬ଟି ୱିକେଟ୍ ହରାଇ ୧୭୬ ରନ୍ କରିଥିଲା । ଦଳ ପକ୍ଷରୁ ଡାରିଲ୍ ମିଚେଲ୍ ଓ ଓପନର ଡେଭନ୍ କୋନ୍‌ୱେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ମିଚେଲ୍ ମାତ୍ର ୩୦ଟି ବଲ୍ ଖେଳି ୫୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଏଥିରେ ୩ଟି ଚୌକା ଓ ୫ଟି ଛକା ସାମିଲ୍ ଥିଲା । ସେହିପରି କୋନ୍‌ୱେ ୩୫ ବଲ୍‌ରେ ୭ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୨ ରନ୍ କରିଥିଲେ । ଅନ୍ୟତମ ଓପନର ଫିନ୍ ଆଲେନ୍ ୨୩ ବଲ୍‌ରେ ୪ଟି ଚୌକା ଓ ୨ଟି ଛକା ଜରିଆରେ ୩୫ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍‌ସ ଗୋଟିଏ ଚୌକା ସହ ୧୭ ରନ୍ କରିଥିଲେ । ଅନ୍ତିମ ଓଭର୍‌ରେ ମିଚେଲ୍ ଭାରତୀୟ ପେସର୍ ଅର୍ଶଦୀପ ସିଂହଙ୍କ ଗୋଟିଏ ଓଭର୍‌ରୁ ୨୭ ରନ୍ ଉଠାଇବା ଫଳରେ ଭାରତ ଆଗରେ ୧୭୭ ରନ୍‌ର ବଡ଼ ଟାର୍ଗେଟ୍ ଧାର୍ଯ୍ୟ ହୋଇଥିଲା । ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ୨ଟି ଏବଂ ଅର୍ଶଦୀପ, କୁଲଦୀପ ଯାଦବ ଓ ଶିବମ୍ ମାଭି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତର ପ୍ରାରମ୍ଭିକ ବ୍ୟାଟିଂ ବେଶ୍ ନୈରାଶ୍ୟଜନକ ରହିଥିଲା । ଓପନର ଈଶାନ୍ କିଶନ୍ ମାତ୍ର ୪ ରନ୍ କରି ଆଉଟ୍ ହେବା ପରେ ରାହୁଲ୍ ତ୍ରିପାଠୀ ଶୂନରେ ବିଦାୟ ନେଇଥିଲେ । ଏହାଛଡ଼ା ଅନ୍ୟତମ ଓପନର ଶୁବମାନ ଗିଲ୍ ଟି-୨୦ରେ ତାଙ୍କ ଦୁର୍ବଳ ଫର୍ମକୁ କାଏମ ରଖି ମାତ୍ର ୭ ରନ୍‌ରେ ପ୍ୟାଭିଲିୟନ୍ ଫେରିଥିଲେ । ଚତୁର୍ଥ ୱିକେଟ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ୬୮ ରନ୍‌ର ଭାଗୀଦାରୀ ହୋଇଥିଲା । ଏହା ଫଳରେ ଭାରତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ସୂର୍ଯ୍ୟକୁମାର ୩୪ ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୭ ରନ୍ କରିଥିବା ସମୟରେ ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ପରେ ପରେ ହାର୍ଦ୍ଦିକ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୨୧ ରନ୍ କରି ଆଉଟ୍ ହୋଇଥିଲେ । ସୁନ୍ଦର ୨୮ ବଲ୍ ଖେଳି ୫ଟି ଚୌକା ଓ ୩ଟି ଛକା ସହ ୫୦ ରନ୍ କରିଥିଲେ ମଧ୍ୟ ଦଳ ଆବଶ୍ୟକ ହାରରେ ରନ୍ ସଂଗ୍ରହ କରି ନ ପାରିବାରୁ ନିର୍ଦ୍ଧାରିତ ଓଭର୍‌ରେ ୯ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡ୍ ପକ୍ଷରୁ ମାଇକେଲ୍ ବ୍ରେସ୍‌ୱେଲ୍‌, ଅଧିନାୟକ ମିଚେଲ୍ ସାଣ୍ଟନର୍ ଓ ଲକି ଫର୍ଗୁସନ୍ ୨ଟି ଲେଖାଏଁ ଏବଂ ଜ୍ୟାକବ୍ ଡଫି ଓ ଈଶ୍ ସୋଢ଼ୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ମିଚେଲ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ରବିବାର ଲକ୍ଷ୍ନୌଠାରେ ଖେଳାଯିବ ।