ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଦ୍ୟ ପ୍ରକାଶିତ ତାଲିକାରେ ବ୍ୟାପକ ତ୍ରୁଟି ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ ଆଜି ପାଟଣାଗଡ଼ ବ୍ଲକର ୩ଟି ମଣ୍ଡଳର ସଭାପତିମାନେ ବ୍ଲକକୁ ଯାଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୧୮ /୧୯ ରେ ଯେଉଁ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା । ସେହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାରୁ ତାକୁ ଆମେ ବିରୋଧ କରୁଛୁ । ରାଜ୍ୟ ସରକାର ଓଡ଼ିଶାର ୨୭ଲକ୍ଷ ଲୋକଙ୍କ ପାଇଁ ଘର ଆବଶ୍ୟକ ବୋଲି ମାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତ ଦେବା ପାଇଁ ୧ଲକ୍ଷ ଅଧିକ ଘର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ପୂର୍ବରୁ ୧୮ ଲକ୍ଷ ଏବଂ ବର୍ତ୍ତମାନ୯ ଲକ୍ଷ ୫୮ ହଜାର ସମୁଦାୟ୨୭ଲକ୍ଷ ୫୮ ହଜାର ଘର ପ୍ରଦାନ କରିଛନ୍ତି । ହେଲେ ଏଥିରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବାବେଳେ ଯୋଗ୍ୟ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାର ଜାଣିଶୁଣି କାଟି ତାଙ୍କ ଦଳୀୟ ଲୋକଙ୍କ ନାମ ଦେଇଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ସେ ସବୁକୁ ତୁରନ୍ତ ବନ୍ଦ କରି ଯୋଗ୍ୟ ହିତାଧିକାରୀଙ୍କ ନା ସଂଯୋଗ କରିବା ପାଇଁ ବିଜେପି ତରଫରୁ ବ୍ଲକର ୩ଟି ମଣ୍ଡଳ ସଭାପତି ବଲ୍ଲଭ ଧରୁଆ, ପଙ୍କଜ ଭୋଇ ଓ ସ୍ୱରୂପା ପରୁଆଙ୍କ ନେତୃତ୍ୱରେ ବ୍ଲକ ଅଫିସକୁ ଯାଇ ବିଡ଼ିଓଙ୍କୁ ଦାବୀପତ୍ର ଦେଇଥିଲେ । ଏହି ସମୟରେ କରମ ସିଂ ସରାଫ, ସହଦେବ ପଟେଲ, ଅନନ୍ତ ନାୟକ ଅନିରୁଦ୍ଧ ପସାୟତ, ରମାନାଥ ହୋତା ଓ ଜ୍ଞାନେନ୍ଦ୍ର ସାଏ ପ୍ରମୁଖ ଉପସ୍ଥିତ ଥିଲେ ।