ନୀଳକଣ୍ଠ ମାଇନ୍ସରେ ଯୁବକର ଅସ୍ୱାଭାବିକ ମୃତ୍ୟୁ, ସାଢ଼େ ୯ ଲକ୍ଷ ଟଙ୍କା କ୍ଷତିପୂରଣ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ବ୍ରଜରାଜନଗର ଥାନା ଅନ୍ତର୍ଗତ ଲଜକୁରା କୋଇଲା ଖଣିର ଠିକା କମ୍ପାନୀ ନୀଳକଣ୍ଠ କମ୍ପାନୀରେ କାର୍ଯ୍ୟରତ ଡ୍ରାଇଭର ଭୂଷଣ ମୁଣ୍ଡା(୪୫)ଙ୍କ ମୃତ୍ୟୁ ହୋଇଛି । ଖଣିରେ କାର୍ଯ୍ୟ କରୁଥିବାବେଳେ ଭୂଷଣ ଅସୁସ୍ଥତା ଅନୁଭବ କରିବାରୁ ସୁପରଭାଇଜରକୁ କହି କ୍ୟାମ୍ପକୁ ଫେରି ଆସିଥିଲେ । କିଛି ସମୟ ପରେ କ୍ୟାମ୍ପରେ ଥିବା ଅନ୍ୟ ସାଥୀମାନେ ଭୂଷଣ ଶୋଇଥିବା ଦେଖି ଉଠାଇଥିଲେ ହେଲେ ସେ ଆଉ ଉଠି ନଥିଲେ । କୋଠରୀରେ ଥିବା ଅନ୍ୟ ଯୁବକମାନେ ଭୂଷଣକୁ ମଣ୍ଡଳିଆ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭୂଷଣଙ୍କ ଘର ଝାଡ଼ଖଣ୍ଡର ସିମାଡ଼େଗା ଜିଲ୍ଲାର ହରିଜନଟୋଲି ବୋଲି ଜାଣିବା ପରେ ତାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଗାଁରୁ ଭୂଷଣଙ୍କ ସ୍ତ୍ରୀ, ଭଉଣୀ ଓ ପଡ଼ୋଶୀ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରିବାରବର୍ଗଙ୍କୁ ନୀଳକଣ୍ଠ କମ୍ପାନୀ ପ୍ରୋଜେକ୍ଟ ମ୍ୟାନେଜର ଆଶୁତୋଷ କୁମାର ରାଏ, ବ୍ରଜରାନଜଗର ଏସଡିପିଓ ଗୁପ୍ତେଶ୍ୱର ଭୋଇ ଓ ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ଉପସ୍ଥିତିରେ କମ୍ପାନୀ ତରଫରୁ କ୍ଷତିପୂରଣ ବାବଦକୁ ୯ ଲକ୍ଷ ଟଙ୍କା, କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ଓ ଯିବା ଆସିବା ଖର୍ଚ୍ଚ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।