୯୦୧ ପୁଲିସକର୍ମୀଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ୭୪ତମ ଗଣତନ୍ତ୍ର ଦିବସ ଅବସରରେ ସରକାର ମୋଟ ୯୦୧ ପୁଲିସକର୍ମୀଙ୍କୁ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହିକ୍ରମେ ୧୪୦ ଜଣଙ୍କୁ ବୀରତା, ୯୩ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଓ ୬୬୮ କର୍ମୀଙ୍କୁ ମେଧାବୀ ସେବା ପାଇଁ ପୁଲିସ ପଦକ ସମ୍ମାନରେ ସମ୍ମାନିତ କରାଯିବ । ବୀରତା ପୁରସ୍କାର ପାଇବାକୁ ଯାଉଥିବା ୧୪୦ ଜଣଙ୍କ ମଧ୍ୟରେ ୮୦ ପୁଲିସ କର୍ମୀ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ କ୍ଷେତ୍ରରୁ ଆସୁଛନ୍ତି । ୧୪୦ ପୁଲିସ କର୍ମୀଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୩୧, ଜମ୍ମୁ-କଶ୍ମୀରରୁ ୨୫, ଝାଡ଼ଖଣ୍ଡରୁ ୯ ଓ ୭ ପୁଲିସକର୍ମୀ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରୁ ଆସିଛନ୍ତି ।

ସୂଚନାଯୋଗ୍ୟ, ଜୀବନ ଓ ସମ୍ପତ୍ତି ବଞ୍ଚାଇବା, ଅପରାଧ ରୋକିବା ଓ ଅପରାଧୀକୁ ଗିରଫ କରିବା ଲାଗି ଏହି ପୁଲିସ ପଦକଦିଆଯାଇଥାଏ । ବହୁ ବିଶିଷ୍ଟ ସେବା ଲାଗି ପୁଲିସ ସେବାରେ ବିଶେଷ ରେକର୍ଡ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।