ବଜ୍ରକାପ୍ତା ବିକ୍ରି ଉଦ୍ୟମର ଅଭିଯୋଗରେ ୬ ଗିରଫ

ବାରିପଦା,ଏନ୍ଏନ୍ଏସ୍: ବଜ୍ରକାପ୍ତା ବିକ୍ରି କରିବା ନିମନ୍ତେ ଉଦ୍ୟମ କରିବା ଅଭିଯୋଗରେ ବନ ବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡ଼ି ଜେଲ ଗଲେ ୬ ବ୍ୟବସାୟୀ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ  ବୃନ୍ଦାଗଡ଼ି ଓ ବାଲିଛତ୍ରା ଅଞ୍ଚଳର ନିଶିକାନ୍ତ ଜେନା, ସୁଦାମ ଖଣ୍ଡେଇ, ସୁକୁଲ ଟୁଡ଼ୁ, ଗୁରୁ ଚରଣ ବିନ୍ଧାଣି, ରବି ପାତ୍ର ଏବଂ ପ୍ରଶାନ୍ତ ମିଶ୍ର ପ୍ରମୁଖଙ୍କ ନାମ ରହିଥିବାର ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଅଭିଯୁକ୍ତମାନେ ଏକ ବଜ୍ରକାପ୍ତାକୁ ମାରି ତାର ଚମଡ଼ା(ଖୋଳପା) ବିକ୍ରି କରିବା ନିମନ୍ତେ ଉଦ୍ୟମ ଚଳାଇଥିବାର ଖବର ବନ  ବିଭାଗ ନିକଟର ପହଁଚିବା ପରେ ଏମାନଙ୍କୁ ଧରିବା ନିମନ୍ତେ ବିଛାଇଥିବା ଜାଲରେ ଅଭିଯୁକ୍ତମାନେ ଅତି ସହଜରେ ଧରାଦେଇଥିଲେ । ଅକ୍ଟୋବର ୨୦ ରବିବାର ବିଳମ୍ବିତ ରାତିରେ ବନ ବିଭାଗର ଏକ ସୂଚନାଦାତା ବଜ୍ରକାପ୍ତା ଖୋଳପା କିଣିବା ନିମନ୍ତେ ଗ୍ରାହକ ସାଜି ଉଦଳା ଥାନା ଅନ୍ତର୍ଗତ ବୃନ୍ଦାଗଡ଼ି ଓ ବାଲିଛତ୍ରା ରାସ୍ତାରେ ଅଭିଯୁକ୍ତମାନଙ୍କ ସହ ଯୋଗାଯୋଗ କରି ମୂଲଚାଲ ୭ ଲକ୍ଷ ଟଙ୍କାରେ ଡ଼ିଲ ହେବା ପରେ ପୂର୍ବରୁ ଛପି ରହିଥିବା ବନ କର୍ମଚାରୀମାନେ ଅତର୍କିତ ଭାବେ ଚଢ଼ାଉ କରି ସେମାନଙ୍କୁ କାବୁ କରିନେଇଥିଲେ ।

ଏହାପରେ ସେମାନଙ୍କୁ ତଲାସୀ ନେବା ସମୟରେ ୩ଟି ବଜ୍ରକାପ୍ତାର କାତି ଏବଂ ବ୍ୟବହାର କରିଥିବା ଦୁଇଟି ବାଇକକୁ ଜବତ କରାଯାଇଥିଲା । ଏହା ପୂର୍ବରୁ ବନ କର୍ମଚାରୀ ହାତରେ ଉଦଳା ଥାନା ଅଂଚଳରେ ବଜ୍ରକାପ୍ତା ଧରି ଚୋରା ଚାଲାଣ ଉଦ୍ୟମ କରିବା ଅଭିଯୋଗରେ ବନ କର୍ମଚାରୀ ୩ ଜଣକୁ ଗିରଫ କରିଥିଲା ।